ପୁଣେ: ପୁଣେରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ମିଚେଲ୍ ସାଣ୍ଟନରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ଭାରତୀୟ ବ୍ୟାଟର। ଫଳରେ ଏବେ ବ୍ୟାକଫୁଟରେ ଟିମ୍ ଇଣ୍ଡିଆ। ଦଳ ଉପରେ ଏବେ ପରାଜୟର ସଙ୍କଟ ଦେଖା ଦେଇଛି। ଭାରତ ପ୍ରଥମ ଇନିଂସରେ ୧୫୬ ରନରେ ଅଲଆଉଟ୍ ହେବା ପରେ କିଓ୍ଵି ଦଲ ୧୦୩ ରନରେ ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ୫ ଓ୍ଵିକେଟ୍ ହରାଇ ୧୯୮ ରନ କରି ୩୦୧ ରନର ଅଗ୍ରଣୀ ହାସଲ କରିଛି। ହାତରେ ଆହୁରି ୫ ଓ୍ଵିକେଟ୍ ଥିବାରୁ ଦଳ ୪୦୦ରୁ ଅଧିକ ରନ ଅଗ୍ରଣୀ ରହିବାର ସମ୍ଭାବନା ଅଧିକ ରହିଛି। ଟମ ବ୍ଲଣ୍ଡେଲ ୩୦ ରନ ଓ ଗ୍ଲେନ ଫିଲିପ୍ସ ୯ ରନ କରି କ୍ରିଜରେ ଅଛନ୍ତି।
ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡକୁ ୩୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଡେଭନ କନଓ୍ଵେ ୧୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଟମ୍ ଲାଥମ ଓ ଓ୍ଵିଲ ୟଙ୍ଗ ୨ୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ିଥିଲେ। ୟଙ୍ଗ ୨୩ ରନ କରି ପାଭିଲିନ ଫେରିଥିଲେ। ଭଲ ଫର୍ମରେ ଥିବା ରଚିନ ରବୀନ୍ଦ୍ରନ(୯)ଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ ଓ୍ଵାଶିଂଟନ ସୁନ୍ଦର। ଡାରିଲ ମିଚେଲ୍(୧୮) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଧିନାୟକ ଟମ ଲାଥମ ସେ ୧୦ ଚୌକା ଜରିଆରେ ୮୬ ରନ କରି ଶତକରୁ ବଞ୍ଚିତ ହୋଇଥିଲେ। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୯୮ ରନ କରିଛି। ହାତରେ ୫ ଓ୍ଵିକେଟ୍ ଥାଇ ଭ୍ରମଣକାରୀ ଦଳ ୩୦୧ ରନରେ ଅଗ୍ରଣୀ ହାସଲ କରିଛି। ଖେଳ ଆଉ ତିନି ଦିନ ବାକି ରହିଛି। ଭାରତର ଫର୍ମକୁ ଦେଖିଲେ ଖେଳ ୩ ଦିନରେ ସରିବାର ଆଶଙ୍କା ଦେଖା ଦେଇଛି।
ବୋଲିଂରେ ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ୫୬ ରନ ଦେଇ ୪ ଓ୍ଵିକେଟ୍ ହାସଲ କରିଛନ୍ତି। ଅଶ୍ଵିନଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ଭାରତ ୧୫୬ ରନରେ ଅଲଆଉଟ୍ ହୋଇଥିଲା। ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୩୮ ରନ କରିଥିବା ବେଳେ ଶୁଭମନ ଗିଲ ଓ ଯଶସ୍ଵୀ ଜୟସ୍ଵାଲ ୩୦ -୩୦ ରନ କରିଥିଲେ। ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିବା ବେଳେ ବିରାଟ କୋହଲି ୧ ରନ କରିଥିଲେ। ମିଚେଲ୍ ସାଣ୍ଟନର ନିଜ ଟେଷ୍ଟ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୫୩ ରନ ବିନିମୟରେ ୭ ଓ୍ଵିକେଟ୍ ନେଇଛନ୍ତି। ଭାରତର ଦ୍ଵିତୀୟ ଇନିଂସ ଉପରେ ଏବେ ସଭିଙ୍କ ନଜର ରହିଛି।