ଯୁଗଜନ୍ମା ଫକୀରମୋହନ ସେନାପତିଙ୍କ ଆଜି ଜନ୍ମ ଜୟନ୍ତୀ
Khabar Odisha:state-special-odisha-birth-day-of-Fakirmohan-senapti
ଭୁବନେଶ୍ଵର, ଜାନୁଆରୀ ୧୫ (ଖବର ଓଡ଼ିଶା) :

ଆଜି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ। ସେ ୧୮୪୩ ମସିହା ମକର ସଂକ୍ରାନ୍ତିରେ ବାଲେଶ୍ଵର ଅନ୍ତର୍ଗତ ମଲିକାଶପୁରର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ଏହି ଯୁଗଜନ୍ମା ବାଲ୍ୟକାଳରୁ ପିତୃମାତୃହୀନ ହୋଇଥିଲେ। ତାଙ୍କ ଜେଜେମା ବାଲ୍ୟକାଳରୁ ଲାଳନପାଳନ କରିଥିଲେ। ସେ ଓଡ଼ିଆ ଭାଷା ସାହିତ୍ୟକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲେ। ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଦେୱାନ ଥିଲେ ଫକୀରମୋହନ। ସେ ଓଡ଼ିଆ ସାହିତ୍ୟର କଥା ସମ୍ରାଟ ରୂପରେ ପରିଚିତ। 

ଫକୀର ମୋହନ ସେନାପତି ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ଜଣେ ଯୁଗାନ୍ତକାରୀ ସ୍ରଷ୍ଟା ଥିଲେ। ଓଡ଼ିଶାରେ ଇଂରେଜମାନେ ଶାସନ କରୁଥିବା ସମୟରେ ବହୁକାଳ ଧରି ଓଡ଼ିଶାରେ ଇଂରାଜୀ ଓ ବଙ୍ଗଳା ଭାଷା ସରକାରୀ ଭାଷା ଭାବେ ଗୃହୀତ ହୋଥିଲା। ଏହି ସମୟରେ ଓଡ଼ିଶାକୁ ଏହି ଦୁର୍ଦ୍ଦିନରୁ ଉଦ୍ଧାର କରିବା ପାଇଁ ଫକୀରମୋହନ ଲେଖନୀ ଚାଳନା କରିଥିଲେ। ନିଜର ଅନନ୍ୟ ସାହିତ୍ୟିକ ପ୍ରତିଭା ଦ୍ଵାରା ସେ ବହୁ କାଳଜୟୀ ଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା ହୋଇପାରିଥିଲେ। 

ଫକୀରମୋହନଙ୍କ ଦ୍ଵାରା ରଚିତ ପ୍ରଥମ ଗଳ୍ପ ଲଛମନିଆ ୧୮୬୮ରେ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକର ଅଭାବ ଦୂର କରିବା ପାଇଁ ସେ ଭାରତ ଇତିହାସ, ରାଜପୁତ ଇତିହାସ, ଅଙ୍କମାଳ ଆଦି ରଚନା କରିଥିଲେ। ଏତଦ୍ ବ୍ୟତୀତ ସାତ ଖଣ୍ଡ ରାମାୟଣ, ଅଠରଖଣ୍ଡ ମହାଭାରତ, ଶ୍ରୀମଦ୍ ଭାଗବତ, ଗୀତା, ମୂଳ ହରିବଂଶ ଆଦି ତାଙ୍କର ଅନୁବାଦ ଗ୍ରନ୍ଥ। ଏଥିପାଇଁ ତାଙ୍କୁ ବ୍ୟାସକବି କୁହାଯାଏ। ଛ ମାଣ ଆଠଗୁଣ୍ଠ, ଲଛମା, ମାମୁ, ପ୍ରାୟଶ୍ଚିତ, ଫକୀରମୋହନଙ୍କ ପ୍ରସିଦ୍ଧ ଉପନ୍ୟାସ। ତାଙ୍କ ରଚିତ ବହୁ ଲୋକପ୍ରିୟ ଗଳ୍ପ ମଧ୍ୟରୁ ରେବତୀ, ଡାକମୁନସୀ, ପେଟେଣ୍ଟ ମେଡିସିନ୍, ରାଣ୍ଡୀ ପୁଅ ଅନନ୍ତା, ସୁନାବୋହୂ, ପାଠୋଇବୋହୂ ଅନ୍ୟତମ। ସେ ତତ୍କାଳୀନ ସାମାଜିକ ବିଧି ବ୍ୟବସ୍ଥା, ରୀତନୀତି, ଆଚାର ବ୍ୟବହାର, କୁସଂସ୍କାର-ଅନ୍ଧବିଶ୍ଵାସ, ନିରକ୍ଷରତା ରକ୍ଷଣଶୀଳତା, ଶୋଷଣ କଷଣ, ଅନ୍ୟାୟ ଅତ୍ୟାଚାର, ଏବଂ ନାରୀ ଶିକ୍ଷାର ପ୍ରସାର ଆଦି ତାଙ୍କ ଲେଖାର ପ୍ରତିଫଳନ।

Subscribe

National International State Sports Entertainment