ନବରାତ୍ରୀର ଷଷ୍ଠ ଦିନ : ପୂଜା ପାଉଛନ୍ତି ଚତୁଃର୍ଭୁଜା ମା’ କାତ୍ୟାୟନୀ
Khabar Odisha:state-odisha-Navaratri-6th-day-katyayani-besa
ଭୁବନେଶ୍ଵର, ଅକ୍ଟୋବର 04 (ଖବର ଓଡିଶା) :

ଆରମ୍ଭ ହୋଇଯାଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ଆଜି ହେଉଛି ନବରାତ୍ରୀର ଷଷ୍ଠ ଦିନ । ଘରେ ଘରେ ପୂଜା ପାଉଛନ୍ତି ଦୂର୍ଗତିନାଶିନୀ ମା’ ଦୂର୍ଗା । ମାଆଙ୍କ ଆଗମନରେ ସଜେଇ ହୋଇଛି ପୂଜା ମଣ୍ଡପ । ନଅଦିନ ବ୍ୟାପୀ ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା । ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁସ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା ଓ ଷଷ୍ଠ ଦିନରେ କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା ଦୁର୍ଗା। ନବରାତ୍ରୀର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କର ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ । 

ଚୈତ୍ର ଶୁକ୍ଳ ପକ୍ଷର ଷଷ୍ଠ ତିଥିରେ ନବଦୂର୍ଗାଙ୍କ ଷଷ୍ଠ ରୂପ ମା’ କାତ୍ୟାୟନୀଙ୍କ ଉପାସନା କରାଯାଏ । ମା’ଙ୍କ ଜନ୍ମ ଋଷି କାତ୍ୟାୟନଙ୍କ ଘରେ ହୋଇଥିବାରୁ ମା’ଙ୍କ ନାଁ କାତ୍ୟାୟନୀ ରହିଛି । ଚତୁଃର୍ଭୁଜା ମା’ଙ୍କ ହାତରେ ଅସ୍ତ୍ରଶସ୍ତ୍ର ଏବଂ କମଳ ପୁଷ୍ପ ଶୋଭା ପାଉଛି । ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀଙ୍କ ବାହନ ହେଉଛି ସିଂହ । ଦ୍ୱାପର ଯୁଗରେ ଗୋପୀମାନେ ଭଗବାନ କୃଷ୍ଣଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବା ପାଇଁ ମା’ କାତ୍ୟାୟନୀଙ୍କ ପୂଜାର୍ଚ୍ଚନା କରୁଥିଲେ । ବିବାହ ସମ୍ବନ୍ଧିତ ରିଷ୍ଠ ଖଣ୍ଡନ ପାଇଁ ମା’ଙ୍କ ପୂଜାର୍ଚ୍ଚନା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ। 

ପୌରାଣିକ କଥା ଅନୁସାରେ ଘଞ୍ଚ ଜଙ୍ଗଲରେ କତ ନାମକ ଜଣେ ମହର୍ଷି ନିଜ ଏକମାତ୍ର ପୁତ୍ର କାତ୍ୟ ସହ ଆଶ୍ରମରେ ରହୁଥିଲେ । ଯାହା ପରେ କାତ୍ୟ ଏକ ଗୋତ୍ର ରୂପେ ପରିଚିତ ହେଲା । ଏହି ଗୋତ୍ରରେ ମହର୍ଷି କାତ୍ୟାୟନ ଜନ୍ମ ନେଇଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର କୌଣସି ସନ୍ତାନ ନଥିଲେ । ମା’ ଭଗବତୀଙ୍କୁ ପୁତ୍ରୀ ରୁପେ ପାଇବାର ଆଶା ରଖି ସେ ପରାମ୍ଭାଙ୍କ କଠୋର ତପସ୍ୟାରେ ଲୀନ ହେଲେ । ମହର୍ଷି କାତ୍ୟାୟନଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ଦେବୀ ଦୂର୍ଗା ତାଙ୍କୁ ମନୋବାଞ୍ଛିତ ବରଦାନ ପ୍ରଦାନ କଲେ ।

କିଛି ସମୟ ଅନ୍ତରାଳରେ ରାକ୍ଷସ ମହିଷାସୁରର ଅକଥନିୟ ଅତ୍ୟାଚାର ଧରାପୃଷ୍ଠରେ ବଢିବାକୁ ଲାଗିଲା । ସେହି ସମୟରେ ତ୍ରିଦେବଙ୍କ ତେଜ ଏବଂ ଉର୍ଜ୍ଜାରୁ ଏକ କନ୍ୟା ଜନ୍ମ ନେଲା ଏବଂ ସେହି କନ୍ୟା ପରେ ରାକ୍ଷସ ମହିଷାସୁରର ବଧ କଲା । କାତ୍ୟ ଗୋତ୍ରରେ ଜନ୍ମ ନେଇଥିବା କନ୍ୟା ଆଉ କେହି ନୁହଁନ୍ତି ସ୍ଵୟଂ ମା’ କାତ୍ୟାୟନୀ ଥିଲେ ।

ମାଙ୍କୁ ଆରାଧନା କରିବା ପାଇଁ ମନ୍ତ୍ର ହେଉଛି- 

ଯା ଦେବୀ ସର୍ବଭୂତେଷୁ ମା କାତ୍ୟାୟନୀ ରୂପେଣ ସଂସ୍ଥିତା।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।

Subscribe

National International State Sports Entertainment