ଜ୍ୟେଷ୍ଠ ଶୁକ୍ଳ ତୃତୀୟା ‘ରମ୍ଭା ତୃତୀୟା’ ନାମରେ ଖ୍ୟାତ। ଏହା ଅପ୍ସରା ରମ୍ଭାଙ୍କ ନାମରେ ନାମିତ। ଏହିଦିନ ପାଳିତ ହେଉଥିବା ବ୍ରତର ନାମ ମଧ୍ୟ ‘ରମ୍ଭାତୃତୀୟା ବ୍ରତ’। ରମ୍ଭା, ମେନକା ଓ ଉର୍ବଶୀ ତିନି ଅପରୂପା ଅପ୍ସରୀ। ଏ ତିନି ଅପ୍ସରୀଙ୍କ ମଧ୍ୟରୁ ରମ୍ଭା ସବୁଠୁ ସୁନ୍ଦରୀ। ‘ଭବିଷ୍ୟ ପୁରାଣ’ ଅନୁସାରେ, ଦେବୀ ପାର୍ବତୀଙ୍କର ଆଗ୍ରହ ଫଳରେ ଲୋକକଲ୍ୟାଣ ନିମନ୍ତେ ଭଗବାନ ଶଙ୍କର ଏହି ବ୍ରତର ବିଧାନ କହିଥିଲେ। ଜ୍ୟେଷ୍ଠ ଶୁକ୍ଳ ତୃତୀୟା ପରି, ମାର୍ଗଶିର ଶୁକ୍ଳ ତୃତୀୟାରେ ଆରମ୍ଭ ହେଉଥିବା ଆଉ ଏକ ରମ୍ଭାତୃତୀୟା ବ୍ରତକଥା ମଧ୍ୟ ଅଛି।
ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ବେଳେ ରମ୍ଭା ଅପ୍ସରାଙ୍କ ଉତ୍ପତ୍ତି ହୋଇଥିଲା। ଥରେ ଅସୁର ଓ ଦେବତାଙ୍କ ମଧ୍ୟରେ ଘମାଘୋଟ୍ ଲଢ଼େଇ ଲାଗିଲା। ଏହି ଯୁଦ୍ଧରେ ଦେବତାମାନେ ଶୋଚନୀୟ ପରାଜୟ ବରଣ କରିଥିଲେ। ଏଭଳି ସ୍ଥିତିରେ ଅସୁରଙ୍କ ଉପରେ ବିଜୟ ପ୍ରାପ୍ତ ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା। ସମୁଦ୍ର ମନ୍ଥନ ବେଳେ ୧୪ ରତ୍ନଙ୍କ ମଧ୍ୟରେ ଏକ ଅପ୍ସରା ରମ୍ଭା ମଧ୍ୟ ଥିଲେ। ତାଙ୍କୁ ସୌନ୍ଦର୍ଯ୍ୟର ପ୍ରତୀକ ବୋଲି କୁହାଯାଏ। ରମ୍ଭା ତୀଜ୍ ବ୍ରତ ଅପ୍ସରା ରମ୍ଭାଙ୍କୁ ସମର୍ପିତ ହୋଇଥାଏ।
ସମସ୍ତ ସଧବା ନାରୀମାନେ ଶ୍ରଦ୍ଧା ଓ ବିଶ୍ବାସର ସହିତ ନିଜର ସ୍ବାମୀଙ୍କର ଦୀର୍ଘାୟୁ ଏବଂ ବୁଦ୍ଧିମାନ ପୁତ୍ର ସନ୍ତାନ ପ୍ରାପ୍ତ କରିବା ପାଇଁ ରମ୍ଭା ତ୍ରୁତୀୟା ବ୍ରତ ପାଳନ କରିଥାନ୍ତି । ଏପରିକି ଅବିବାହିତା ଝିଅମାନେ ମଧ୍ଯ ନିଜର ମନପସନ୍ଦ ସ୍ବାମୀ ପାଇବା ପାଇଁ ରମ୍ଭା ତ୍ରୁତୀୟା ବ୍ରତ ପାଳନ କରିଥାନ୍ତି । ରମ୍ଭା ତ୍ରୁତୀୟା ବ୍ରତ ଭଗବାନ ଶିବ, ମାତା ପାର୍ବତୀଙ୍କର କ୍ରୁପା ପ୍ରାପ୍ତି ଏବଂ ଶ୍ରୀ ଗଣେଶ ଭଳି ପୁତ୍ର ସନ୍ତାନ ପ୍ରାପ୍ତ କରିବା ପାଇଁ ତଥା ପତିବ୍ରତା ନାରୀମାନେ ନିଜର ଦାମ୍ପତ୍ୟ ଜୀବନ ରକ୍ଷା ଓ ସ୍ବାମୀର ଦୀର୍ଘାୟୁ ପାଇଁ ବ୍ରତ ପାଳନ କରିଥାନ୍ତି । ରମ୍ଭା ତ୍ରୁତୀୟା ତିଥିରେ ମାତା ଲକ୍ଷ୍ମୀ ଓ ମାତା ସତୀଙ୍କର ବିଧିବିଧାନ ଅନୁସାରେ ପୂଜାପାଠ କରାଯାଇଥାଏ । ଶାସ୍ତ୍ର ତଥା ପୁରାଣ ମାନ୍ୟତା ଅନୁଯାୟୀ ଯେଉଁ ନାରୀମାନେ ରମ୍ଭା ତ୍ରୁତୀୟା ବ୍ରତ ପାଳନ କରିଥାନ୍ତି, ସେମାନଙ୍କ ସ୍ବାମୀର ଦୀର୍ଘାୟୁ ହେବା ସହିତ ବୁଦ୍ଧିମାନ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ । ଏହି ବ୍ରତ କଲେ ସ୍ତ୍ରୀଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏଥିସହ ଯୌବନ ଓ ଆରୋଗ୍ୟ ମଧ୍ୟ ପ୍ରାପ୍ତ ହୁଏ ।