ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଏହି ପବିତ୍ର ଦିନରେ ବିଘ୍ନ ବିନାଶନ ଗଜାନନଙ୍କୁ ପୂଜା କରାଯାଏ । ପ୍ରଭୁ ଗଣେଶ ବିଦ୍ୟାର ଦେବତା, ଆଦିଦେବ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଆଦିଦେବଙ୍କ ଆରାଧନାରେ ବିଭୋର ହେବେ ଭକ୍ତ। ନାନା ରୂପରେ ଅବତିର୍ଣ୍ଣ ହେବେ ପ୍ରଭୁ ଶ୍ରୀ ଗଣେଶ। ବିଭିନ୍ନ ଗଣେଶ ପୀଠ ଗୁଡ଼ିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛ ସମୟ ଅପେକ୍ଷା । ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ ।
ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ତ ସେ ବିଘ୍ନହର୍ତ୍ତା। ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନ ଆସୁ, ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ,ସବୁଥିରେ ଗଣେଶଙ୍କ ଆବାହନ କରାଯାଏ। ସେ ସର୍ବତ୍ର ବିଦ୍ୟମାନ। କୌଣସି ଶୁଭ କାର୍ଯ୍ୟ, ଧାର୍ମିକ କାର୍ଯ୍ୟ ବା ମଙ୍ଗଳ କାର୍ଯ୍ୟରେ ପ୍ରଭୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ। ତେଣୁ ତାଙ୍କୁ ପ୍ରଥମେ ପୂଜା କରାଯାଏ ଯେପରି କୌଣସି ପ୍ରକାର ବାଧାବିଘ୍ନ ଶୁଭ କାର୍ଯ୍ୟରେ ନ ଆସେ। ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ ।ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ପ୍ରଭୁ ଗଣେଶ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ।
ମାତା ପାର୍ବତୀ ଓ ପ୍ରଭୁ ମହାଦେବଙ୍କ ପୁତ୍ର ପ୍ରଭୁ ଗଜାନନ । ଶିବ ପୁରାଣ ଅନୁଯାୟୀ , ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ସେ ହେଉଛନ୍ତି ଗଜମସ୍ତକ, ଏକଦନ୍ତ । ପ୍ରଭୁଙ୍କର ବାହନ ମୂଷା । ପ୍ରଭୁ ବିଘ୍ନହର୍ତ୍ତାଙ୍କୁ ପୂଜା କରିବା ଦ୍ୱାରା ବିଦ୍ୟା ବୁଦ୍ଧି ମିଳିବା ସହିତ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।