ଗତ ସପ୍ତାହରେ ଭାରତୀୟ ଷ୍ଟାର୍ଟଉପ ଉପରେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଓ ବାଇଜୁସ୍ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ କିଛି ବର୍ଷ ତଳେ ବିଶିଷ୍ଟ ଉଦ୍ୟୋଗୀ ଭାବେ ଟେକ୍ନୋଲୋଜି ଜଗତ ବହୁତ ଆଗେଇ ନେଇଥିଲେ। ଉଦ୍ୟୋଗୀ ହେବାର ଯାତ୍ରା କେତେ ଆହ୍ବାନ ତଥା ସଂଘର୍ଷପୂର୍ଣ୍ଣ ତାହା ଏହି ଦୁଇ ଜଣ ପ୍ରତିଷ୍ଠାତାଙ୍କ ଜୀବନ କାହାଣୀ ଉପରେ ନଜର ପକାଇଲେ ଜଣାପଡ଼େ।
ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଓ ବାଇଜୁସ୍ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ ନିଜ ଅଭିନବ ଚିନ୍ତାଧାରାକୁ ନେଇ ଷ୍ଟାର୍ଟଅପ୍ ଗଠନ କରିବା ଏବଂ ତାହାକୁ କିଛି ବର୍ଷ ଭିତରେ ବିଶ୍ବସ୍ତରରେ ପରିଚିତ କରାଇବା ପାଇଁ ପରିଚିତ ହୋଇଥିବା ବେଳେ ସେମାନଙ୍କ ଜୀବନ କାହାଣୀ ଏତିକିରେ ଶେଷ ହୋଇ ନଥିବା ବେଳେ ଏହି ଦୁଇ ଜଣ ବ୍ୟକ୍ତି ଏବେ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛନ୍ତି।
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ୍ସ୍ ବ୍ୟାଙ୍କ ଉପରେ କଟକଣା ଜାରି କରିବା ପରଠାରୁ ବିଜୟ ଶେଖର ଶର୍ମାଙ୍କ ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶର ଆଲିଗଡ଼ରେ ଜନ୍ମ ହୋଇଥିବା ବିଜୟ ଇଞ୍ଜିନିୟରିଂ ପାଠପଢ଼ିବା ପରେ ଉଦ୍ୟୋଗୀ ହେବାକୁ ମନ ବଳାଇଥିଲେ। ୧୯୯୬ରେ ସେ ୱାନ୯୭ କମ୍ୟୁନିକେସନ ସ୍ଥାପନ କରିଥିଲେ ଏବଂ ୨୦୧୦ରେ ଆରମ୍ଭ କରିଥିଲେ ଲୋକପ୍ରିୟ ବ୍ରାଣ୍ଡ୍ ପେଟିଏମ୍ କରୋନା ମହାମାରୀ ସମୟରେ ଘରୁ ବାହାରିବା ଯେତେବେଳେ କଷ୍ଟକର ଥିଲା କିଣାବିକା କାରବାରକୁ ସହଜ କରିଥିଲା ପେଟିଏମ୍ । ତେବେ କମ୍ପାନି ପ୍ରତି ସାଧାରଣ ଜନତା ଓ ବ୍ୟବସାୟ ଜଗତର ରହିଥିବା ବିଶ୍ଵାସକୁ ଫେରାଇ ଆଣିବା ପାଇଁ ତାଙ୍କୁ କାମ କରିବାକୁ ପଡ଼ିବ।
ସେହିଭଳି ଆଉ ଜଣେ ପ୍ରତିଷ୍ଠାତା ମଧ୍ୟ ସଙ୍କଟ ଦେଇ ଗତି କରୁଥିବା ବେଳେ ନିଜ କମ୍ପାନି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେ ହେଉଛନ୍ତି ବାଇଜୁସ୍ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ। ଗଣିତ ଶିକ୍ଷକରୁ ଜଣେ ଉଦ୍ୟୋଗୀ ହୋଇଥିବା ରବୀନ୍ଦ୍ରନ ଦେଶର ସବୁଠୁ ବଡ଼ ଏଡ୍ଟେକ୍ କମ୍ପାନି ବାଇଜୁସ୍ ଗଠନ କରିଥିଲେ । ଏକଦା ଏହି କମ୍ପାନିର ମୂଲ୍ୟ ୨୨ ବିଲିଅନ ଡଲାର ଥିଲା। ଏହା ଅତ୍ୟନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ି ଆକର୍ଷଣୀୟ ସଫଳତା ପାଇଥିଲା। ମାତ୍ର ସେହି ଭଲ ଦିନ ବେଶୀ ଦିନ ତିଷ୍ଟିକି ରହି ପାରିଲା ନାହିଁ। ଏବେ ଏହି କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ନିଜ କର୍ମଚାରୀଙ୍କୁ ଦରମା ଦେବା ଲାଗି ସଂଘର୍ଷ କରୁଛି। ଏହାର ମୂଲ୍ୟ ଏବେ ୧-୩ ବିଲିଅନ ଡଲାରକୁ ଖସିଆସିଛି। ତେବେ ବର୍ତ୍ତମାନ ଏହି ଦୁଇଟି କମ୍ପାନୀ ନିଜ ପ୍ରତିଷ୍ଠାନ ବଞ୍ଚାଇବା ପାଇଁ ଆପ୍ରାଣପଣେ ଚେଷ୍ଠା କରୁଛନ୍ତି।
ଅଧିକ ପଢନ୍ତୁ: ଏବେବି ଅବିକଶିତ,ଅବହେଳିତ ପଦ୍ମପୁର ବ୍ଲକ ସଦର ମହକୁମା