ଭୁବନେଶ୍ବର : ଧର୍ମ ଆଉ ଆବେଗର ରାଇଜଟିଏ, ଉତ୍କଳ। ଯାହାର ରାଷ୍ଟ୍ର ଦେବତା ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ। କିନ୍ତୁ ଏହି ପବିତ୍ର ରାଜ୍ୟରେ ପଞ୍ଚଦେବ ଉପାସନାର ପରମ୍ପରା ମଧ୍ୟ ରହିଛି। ଶୈବ, ଶାକ୍ତ, ବୈଷ୍ଣବ, ସୌର ଓ ଗାଣପତ୍ୟ ଉପାସନା ଏ ରାଜ୍ୟରେ ସର୍ବ ପ୍ରାଚୀନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଆମ ଓଡ଼ିଶାର ଅନେକ ପ୍ରାଚୀନ ଶୈବପୀଠ ମଧ୍ୟରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସର୍ବପୂରାତନ। ଏହିଠାରେ ମହାପ୍ରଭୁ ଶ୍ରୀ ତ୍ରିଭୁବନେଶ୍ୱର ଲିଙ୍ଗରାଜ ମା ଗୋପଳୁଣି ଠାକୁରାଣୀଙ୍କ ସହ ଉପାସିତ ହୁଅନ୍ତି। ଯେପରି କାଶୀରେ ଭଗବାନ ଶଙ୍କର ବିଶ୍ଵନାଥ ଓ ମାତା ପାର୍ବତୀ ଅନ୍ନପୂର୍ଣ୍ଣା ରୂପେ ପୂଜିତ ହୁଅନ୍ତି ଏକାମ୍ରରେ ସେହିପରି ପ୍ରଭୁ ଲିଙ୍ଗରାଜ ଓ ମା ଗୋପଳୁଣି ନାମରେ ପୂଜା ପାଆନ୍ତି।
ତେବେ ମାଆଙ୍କ ଏହି ନାଁ ପଛର କାହାଣୀ ଆସନ୍ତୁ ଜାଣିବା।
ସ୍କନ୍ଦ ପୂରାଣ କୁହେ, କାଶୀ କ୍ଷେତ୍ରରେ ମା' ପାର୍ବତୀ ଭଗବାନ ଶଙ୍କରଙ୍କୁ ପ୍ରଶ୍ନ କରନ୍ତି। କାଶୀ ବ୍ୟତିତ ଏମିତି କେଉଁ କ୍ଷେତ୍ର ଅଛି ଯାହା ଆପଣଙ୍କୁ ଭଲଲାଗେ ଥରେ କୁହନ୍ତୁ ତ ? ମା'ଙ୍କ ପ୍ରଶ୍ନ ଶୁଣି ପ୍ରଭୁ କହିଲେ। ଦକ୍ଷିଣ ସମୁଦ୍ର ପ୍ରାନ୍ତରେ ଗୋସାଗରେଶ୍ବର ତୀର୍ଥ କୂଳରେ ସ୍ବର୍ଣ୍ଣାଦ୍ରୀ ପର୍ବତ ଅଛି। ସେହି ପର୍ବତ ଶିଖରରେ ଏକାମ୍ର ବୋଲି କ୍ଷେତ୍ରଟିଏ ଅଛି। ଗୋଟିଏ ଆମ୍ବଗଛ ମୂଳରେ ମୁଁ ସ୍ବୟମ୍ବୁ ଲିଙ୍ଗ ଭାବେ ବିଦ୍ୟମାନ ରହିଛି। ଯାହା ମୋର ଅନ୍ୟତମ ପ୍ରିୟ ନିବାସ। ମା' ଖୁସି ହେଲେ ଏବଂ ସେ ସ୍ଥାନକୁ ଯିବାକୁ ଇଚ୍ଛା ପ୍ରକାଶ କଲେ।
କାଳାନ୍ତରରେ ମା' ଆସି ପହଞ୍ଚିଲେ, ଏହି ପବିତ୍ର ଏକାମ୍ର କ୍ଷେତ୍ରରେ। ସ୍ବର୍ଣ୍ଣାଦ୍ରୀ ପର୍ବତ ଉପରେ ଦିବ୍ୟ ଶିବଲିଙ୍ଗ ଦର୍ଶନରେ ଅଭିଭୂତ ହେଲେ ମା' ପାର୍ବତୀ। ଗୋଟିଏ ଦୃଶ୍ୟ ତାଙ୍କୁ ଚମକାଇ ଦେଲା। କିଛି ଗାଈ ସେହି ଦିବ୍ୟ ସ୍ବୟମ୍ଭୁ ଲିଙ୍ଗ ଉପରେ ପହ୍ନା ପ୍ରସାରି ଦୁଗ୍ଧ ଦେଉଛନ୍ତି। ବୋଲ ନ ମାନି, ହୁରୁଡି ଯାଉଛନ୍ତି, ଆଉ ସେହି ନିକଟରେ ଥିବା ଗନ୍ଧବତୀ ତୀରରେ ବିଲିନ ହେଉଛନ୍ତି। ଏ କ୍ରମ ପ୍ରତ୍ୟହ, ଦେଖିବା ପରେ ମା' ଗାଈମାନଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରନ୍ତି। ନିଜର ଦିବ୍ୟ ସ୍ବରୂପକୁ ମା' ଗୋଟିଏ ସାଧାରଣ ଗଉଡୁଣୀ ବା ଗୋପାଳୁଣୀର ରୂପ ଦିଅନ୍ତି।
ଏଥର ଗାଈମାନେ ମା'ଙ୍କ ବୋଲ ମାନନ୍ତି। ମା'ଙ୍କୁ ଏ କ୍ଷେତ୍ର ଭଲଲାଗେ। ସେ ଏଇଠି ନିବାସ କରନ୍ତି ଗୋପାଳୁଣୀ ଭାବରେ। ଏହି ସମୟରେ କୀର୍ତ୍ତି ଆଉ ବାସ ନାମରେ ଯୋଡିଏ ଅସୁରଙ୍କ ଦୃଷ୍ଟି ପଡେ ମା'ଙ୍କ ଉପରେ। ସେମାନେ ମା'ଙ୍କୁ ବିବାହ କରିବାକୁ ଆଗ୍ରହ କରନ୍ତି। ମା' ଅସୁରଙ୍କ ମାୟା ବିଲୋପନ ପାଇଁ ଗୋଟିଏ ଉପାୟ କୁହନ୍ତି।
ତୁମେ ଦୁହେଁ କାନ୍ଧରେ ବସାଇ ମତେ ଏ କ୍ଷେତ୍ର ବୁଲାଇଆଣ। ମା' ଅସୁରଙ୍କ ସ୍କନ୍ଧରେ ବିଜେ କରନ୍ତି, କ୍ଷେତ୍ର ବୁଲନ୍ତି। ହେଲେ ଗୋଟିଏ ସ୍ଥାନରେ, ମା'ଙ୍କ ଅଙ୍ଗ ଭାର ସହି ନ ପାରି ଅସୁର ଚିତ୍କାର କରନ୍ତି। ଦେବୀଙ୍କ ବାସ୍ତବ ସ୍ବରୂପ ବୁଝିଲା ବେଳକୁ ମା' ଉଭୟଙ୍କୁ ବଧ କରିନିଅନ୍ତି। ଯେଉଁ ସ୍ଥାନରେ ଉକ୍ତ ଅସୁର ଦ୍ବୟ ନିଧନ ହୁଅନ୍ତି, ତାହା ଦୁଇ ବିରାଟ ଗର୍ତ୍ତରେ ପରିବର୍ତ୍ତିତ ହୁଏ। ଲୋକ ମୁଖରେ ଏହା ଏବେ ଦେବୀ ପାଦହରା ପୁଷ୍କରିଣୀ ନାମରେ ସୁବିଦିତ। ଆଉ ଏହିଠାରେ ମହାପ୍ରଭୁ ତ୍ରୀଭୁବନେଶ୍ବର ଲିଙ୍ଗରାଜ ମା'ଙ୍କୁ ଗୋପାଳୁଣୀ ସ୍ବରୂପରେ ନିବାସ କରିବାକୁ କୁହନ୍ତି। ଏବେ ମଧ୍ୟ ଆପଣ ଲିଙ୍ଗରାଜ ମନ୍ଦିରକୁ ଗଲେ ଆପଣ ମା' ଗୋପାଳୁଣୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ। ସେ ହିଁ ହେଉଛନ୍ତି ଏ କ୍ଷେତ୍ରର ଅଧୀଶ୍ଵରୀ ଦେବୀ।
ଅଧିକ ପଢନ୍ତୁ : ଲିଙ୍ଗରାଜ ମନ୍ଦିରରେ ଫାଟ