ଅପରେସନ "ସ୍ୱିଟ ଆପଲ ବାଇଟ"
Khabar Odisha:Operation-Sweet-Apple-Byte
ଜମ୍ମୁକାଶ୍ମୀର, ଜୁନ ୧୧ (ଖବର ଓଡ଼ିଶା):

ଗତ କିଛିଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ କାଳ ସାଜିଛି ଭାରତୀୟ ସୁରକ୍ଷା ବାହିନୀ । ଗତ କିଛି ଦିନ ମଧ୍ୟରେ କ୍ରମାଗତ ଏନକାଉଣ୍ଟରରେ 14 ଦୁର୍ଦ୍ଧାନ୍ତ ଆତଙ୍କବାଦୀଙ୍କୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷା ବାହିନୀର ଏହି ସାହସ ଯୋଗୁଁ ଉପତ୍ୟକାରେ ଆତଙ୍କବାଦୀଙ୍କ ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏହା ସହ ବର୍ତ୍ତମାନ ସାରା ରାଜ୍ୟରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ଆତଙ୍କବାଦୀଙ୍କ ସମ୍ପୂର୍ଣ୍ଣ ବିନାଶ ପାଇଁ ସେମାନଙ୍କୁ ଖୋଜାଖୋଜି ନିପାତ କରାଯାଉଛି । ବଡ କଥା ହେଉଛି ଆନ୍ତର୍ଜାତୀୟ ସୀମାଠାରୁ ଆରମ୍ଭ କରି କଣ୍ଟ୍ରୋଲ୍ ଲାଇନ୍ ପର୍ଯ୍ୟନ୍ତ ଅନୁପ୍ରବେଶକୁ ମଧ୍ୟ କଡାକଡି ଭାବେ ରୋକାଯାଇଛି । ଜୁନ୍ ମାସର ପ୍ରଥମ ସାତ ଦିନରେ ସେନା ନିୟନ୍ତ୍ରଣ ରେଖା ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ତିନୋଟି ପ୍ରୟାସକୁ ବିଫଳ କରିଦେଇଛି ।

ଗୋଟିଏ ସୂଚନା ଅନୁଯାୟୀ ଚଳିତ ବର୍ଷ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇସାରିଲେଣି । ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବା ଶୋପିଆନରେ ମାତ୍ର ଚାରି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା 14 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ପନ୍ଦର ଦିନ ମଧ୍ୟରେ ଶୋପିଆନ୍, ପୁଲୱାମା ଏବଂ କୁଲଗାମରେ ସୁରକ୍ଷା ବାହିନୀ ଦ୍ୱାରା 26 ଆତଙ୍କବାଦୀ ନିହତ ହୋଇସାରିଲେଣି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ କମାଣ୍ଡର ଅବଦୁଲ ରହମାନ ଓରଫ ଫୌଜି, ଜାମ୍ମୁ କାଶ୍ମୀରର ଇସଲାମିକ ଷ୍ଟେଟର କମାଣ୍ଡର ଆଦିଲ, ଲଶ୍କର କମାଣ୍ଡର ଶାହିନ୍ ଏବଂ ଶାକିରଙ୍କ ସମେତ ଲଶ୍କର-ଏ-ତୋଇବା, ହିଜବୁଲ ଏବଂ ଜୈଶର 14 ଜଣ ଦୁର୍ଦ୍ଧାନ୍ତ କମାଣ୍ଡରଙ୍କୁ ମଧ୍ୟ ନିପାତ କରିଛି ଭାରତୀୟ ସେନା ।

ଆତଙ୍କବାଦୀଙ୍କ ବିରୋଧରେ ଏହି ସଫଳତା ହେଉଛି ଅପରେସନ୍ ଅଲ୍ ଆଉଟ୍ ଅଧୀନରେ ଜାରି ରହିଥିବା ଜ୍ୟାକବୁଟର ପରବର୍ତ୍ତୀ ଚରଣ ତଥା ଅପରେସନ  ସ୍ୱିଟ ଆପଲ ବାଇଟର ଫଳାଫଳ  | ରମଜାନ ମାସ ଶେଷ ହେବା ପରେ ଆରମ୍ଭ ହୋଇଥିବା ଏହି ଅଭିଯାନ କେବଳ ଦକ୍ଷିଣ କାଶ୍ମୀରର ସେହି ଅଞ୍ଚଳରେ ସୀମିତ ରହିଛି, ଯାହାର ଅର୍ଥନୀତି ମୁଖ୍ୟତଃ ସେଓ ଉତ୍ପାଦନ ଉପରେ ନିର୍ଭର କରେ ।

ଅପରେସନ ସ୍ୱିଟ ଆପଲ ବାଇଟ -

ସୂତ୍ରରୁ ଜଣାପଡିଛି ଯେ ଶୋପିଆନ୍, ପୁଲୱାମା, କୁଲଗାମ ଏବଂ ଅନନ୍ତନାଗ ଜିଲ୍ଲାର ଅଞ୍ଚଳରେ ଆତଙ୍କବାଦୀଙ୍କ ଅଧିକ ପ୍ରଭାବ ରହିଛି ଯେଉଁଠାରେ ସେଓ ବଗିଚା ଅଧିକ ରହିଛି । ଏବଂ ସ୍ଥାନୀୟ ଲୋକମାନଙ୍କର ଅର୍ଥନୀତିର ମାଧ୍ୟମ ମଧ୍ୟ ସେଓ ଚାଷ ହିଁ ରହିଛି | ଗତ ବର୍ଷ ଏହି ଅଞ୍ଚଳରେ ସେଓ ପରିବହନ କରୁଥିବା ଜଣେ ଟ୍ରକ ଚାଳକ ଏବଂ ଅନ୍ୟ ରାଜ୍ୟର କିଛି ଶ୍ରମିକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀମାନେ । ତେବେ ଚଳିତ ଥର ମଧ୍ୟ ଆଉ କିଛି ଦିନ ପରେ ସେଓ ଉତ୍ପାଦନ କରିବାର ସମୟ ଆରମ୍ଭ ହେବ | ଏବଂ ଚଳିତ ଥର ପୁଣି ଆତଙ୍କବାଦୀମାନେ ସେଓ ବ୍ୟବସାୟୀ, କୃଷକ ଏବଂ ଅନ୍ୟମାନଙ୍କ ଜୀବନକୁ କ୍ଷତି ପହଁଞ୍ଚାଇବେ ତେଣୁ ସେମାନେ ଏଭଳି କିଛି କରିବା ପୂର୍ବରୁ ହିଁ ଭାରତୀୟ ସେନା ଏହି ଅଭିଯାନ ଆରମ୍ଭ କରିଛି | ଅପରେସନ୍ ଅଲ୍ ଆଉଟ୍ ରେ ଆତଙ୍କବାଦୀଙ୍କ ନେତୃତ୍ୱକୁ ହଟାଇବା ପାଇଁ ଅପରେସନ୍ ଜ୍ୟାକବୁଟ୍ ର ଏହା ଏକ ଅଂଶ | ଏହାକୁ ସ୍ୱିଟ ଆପଲ ବାଇଟମଧ୍ୟ କୁହାଯାଉଛି |

ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦ ବିରୋଧୀ ଅପରେସନର ନାମ ଏବଂ ସଂକେତ ଅଲଗା, ଯାହା ଅପରେସନ୍ ସ୍ଥାନ ଏବଂ ଆତଙ୍କବାଦୀଙ୍କ ନାମ ଉପରେ ଆଧାରିତ ହୋଇଥାଏ । ଶୋପିଆନ୍, କୁଲଗାମ, ପୁଲୱାମାରେ କରାଯାଇଥିବା ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ସେନା ପକ୍ଷରୁ ସ୍ୱିଟ ଆପଲ ବାଇଟ ନାମକରଣ କରାଯାଉଛି ।

ଆତ୍ମସମର୍ପଣ ପାଇଁ ସୁଯୋଗ ଦେଉଛି ଭାରତୀୟ ସେନା -

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପୂର୍ବରୁ ଏହି ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀ କମାଣ୍ଡର ଓ ତାଙ୍କ ସହ ସାମିଲ ହୋଇଥିବା ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବା ନେଇ ବୁଝାଯାଉଛି । ବିଭିନ୍ନ ଉପାୟ ଦ୍ୱାରା ସେନା ପକ୍ଷରୁ ସେମାନଙ୍କୁ ବୁଝାଯିବାକୁ ଚେଷ୍ଟା କରାଯାଉଛି । ଯଦି ସେମାନେ ସେନାର ପ୍ରସ୍ତାବକୁ ପ୍ରତ୍ୟାଖାନ କରୁଛନ୍ତି ତେବେ ଏହା ପରେ ସେନା ପକ୍ଷରୁ ସେମାନଙ୍କୁ ନିପାତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଉଛି । ପ୍ରଥମେ ସେନା ପକ୍ଷରୁ ଆତଙ୍କବାଦୀ ମାନଙ୍କ ଗତିବିଧୀକୁ ପରଖା ଯାଉଛି ସେମାନଙ୍କ ଠିକଣା ଏବଂ ସେମାନଙ୍କ ବାସ୍ତବିକ ସ୍ଥିତି ବିଷୟରେ ସେନା ସମ୍ପୂର୍ଣ୍ଣ ଅବଗତ ହେବାପରେ ହିଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେନା ପୂର୍ବରୁ ସମସ୍ତ ବିଷୟରେ ଅବଗତ ରହିଥିବାରୁ ଏହି ଅଭିଯାନରେ ଭାରତୀୟ ସେନାର ବିଶେଷ କ୍ଷତି ହେଉନାହିଁ ।

ସେନା ଗୁଳିରେ ଟଳିଥିବା କିଛି ପ୍ରମୁଖ ଆତଙ୍କବାଦୀଙ୍କ ତାଲିକା -

ମଇ 25: ହାଜିପୋରା କୁଲଗାମରେ ଇସଲାମିକ୍ ଷ୍ଟେଟ୍ ଜାମ୍ମୁ କାଶ୍ମୀରର କମାଣ୍ଡର ଆଦିଲ୍ ୱାନି ଏବଂ ଲଶ୍କର କମାଣ୍ଡର ଶାହିନ୍ ଅହମ୍ମଦ ଠୋକର ଖୁଦଙ୍କୁ ହତ୍ୟା କରାଯାଇଥିଲା।

ମଇ 30: ଭାନପୋରା କୁଲଗାମରେ ହିଜବୁଲ କମାଣ୍ଡର ପରଭେଜ ଅହମ୍ମଦ ପଣ୍ଡିତ ଏବଂ ଜୈଶ କମାଣ୍ଡର ଶାକିରଙ୍କୁ ହତ୍ୟା କରାଯାଇଥିଲା।

ଜୁନ୍ ୨ - ସାଇମୁ ତ୍ରାଲରେ ଜୈଶ କମାଣ୍ଡର ଆକିବ ରମଜାନ ଏବଂ ମହମ୍ମଦ ମକବୁଲ ଚୋପାନଙ୍କୁ ହତ୍ୟା କରାଯାଇଥିଲା।

ଜୁନ୍ 3 : ପୁଲୱାମାରେ ହିଜବୁଲର ଡିଭିଜନାଲ କମାଣ୍ଡର ମଞ୍ଜୁର ଅହମ୍ମଦ କର କଙ୍ଗନଙ୍କ ସହ ଦୁଇଜଣ ଜୈଶ କମାଣ୍ଡର ଅବଦୁଲ ରହମାନ ଓରଫ ଫୌଜୀ ଭାଇ ଏବଂ ଜାଭେଦ ଜାରଗାରଙ୍କୁ ହତ୍ୟା କରାଯାଇଥିଲା।

ଜୁନ୍ 7 : ରେବାନରେ ହିଜବୁଲ କମାଣ୍ଡର ଇଶଫାକ ଏବଂ ଜୈଶ କମାଣ୍ଡର ଉୱାଇସ ମଲିକଙ୍କ ସମେତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଜୁନ୍ 8 : ପିଜୋରା ଶୋପିଆନରେ ହିଜବୁଲ୍ କମାଣ୍ଡର ଉମର ଧୋବିଙ୍କ ସମେତ 4 ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଜୁନ୍ 10 : ସୁଗୁ ଶୋପିଆନରେ ଲଶ୍କର କମାଣ୍ଡର ଉବେଶ ଏବଂ ହିଜବୁଲ କମାଣ୍ଡର ଶାକିରଙ୍କ ସମେତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

  • Tags:

Subscribe

National International State Sports Entertainment