ଆଜି ଜଗତଜନନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଚାଲିଛି । ଏହି ଅବସରରେ ଘଟଗାଁ ମା'ତାରିଣୀ ପୀଠରେ ମହାଷ୍ଟମୀ ପୂଜା ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ସପ୍ତମୀ ଠାରୁ ଭକ୍ତ ମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ମା'ଙ୍କର ଏହି ଦୁର୍ଲଭ ବେଶକୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ଭୋରରୁ ସେବାୟତ ମାନେ ମା'ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ, ଷୋଡ଼ଶ ଉପଚାର ପୂଜା କରି ସୁନାବେଶରେ ସୁସଜ୍ଜିତ କରିଥିଲେ । ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ପହଡ଼ ଖୋଲିଥିଲା ।
ମା' ଙ୍କ ଦର୍ଶନ ପାଇଁ ଏହି ଘଟଗାଁରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଥି ସହିତ ମହାଷ୍ଟମୀ ଅବସରରେ ମହିଳା ମାନେ ଆଜି ଉପବାସ କରି ବ୍ରତ ପାଳନ କରୁଛନ୍ତି । ମା' ତାରିଣୀ ସୁନାବେଶରେ ଦଶହରା ପର୍ଯ୍ୟନ୍ତ ଦର୍ଶନ ଦେବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି। ତେଣୁ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।