ଆଜି ବିଶ୍ୱ ସିଂହଦିବସ । ସିଂହଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୦ରେ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥାଏ। ସିଂହମାନେ ପରିବେଶ ପ୍ରଣାଳୀରେ ଏକ ସନ୍ତୁଳନ ରକ୍ଷାକରିଥାନ୍ତି । ସେମାନଙ୍କର ସଂରକ୍ଷଣ ଜୈବ ବିବିଧତା ଏବଂ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଲାଗି ନିହାତି ଆବଶ୍ୟକ ହେଲେ ଦ୍ରୁତ ଜଙ୍ଗଲ କ୍ଷୟ ଏବଂ ବେଆଇନ ଶିକାର ଯୋଗୁ ସିଂହଙ୍କ ସଂଖ୍ୟା କମିବାରେ ଲାଗିଛି ।
୨୦୧୩ରେ ବିଗ୍ କ୍ୟାଟ୍ ରେସକ୍ୟୁ ପଦକ୍ଷେପର ସହ-ପ୍ରତିଷ୍ଠାତା ଡେରେକ ଏବଂ ବେଭେରୀ ଜୋବର୍ଟଙ୍କ ଦ୍ବାରା ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ୧୦୦ ବର୍ଷ ତଳେ ସିଂହଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ଥିବା ବେଳେ ଏବେ ଏଥିରେ ପ୍ରାୟ ୮୦ ପ୍ରତିଶତ ହ୍ରାସ ଘଟିଛି। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ସିଂହଙ୍କ ସଂଖ୍ୟା କମି ପୃଥିବୀରେ ୩୦ ହଜାରରୁ ୨୦ ହଜାର ମଧ୍ୟରେ ରହିଛି। ଆଫ୍ରିକାର ୨୭ଟି ଦେଶ ଏବଂ ଏସିଆର ଭାରତରେ ସିଂହ ଦେଖାଯାଆନ୍ତି । ସେଥୁମଧ୍ୟରୁ ୭ଟି ଦେଶରେ ହଜାରରୁ ଅଧିକ ସିଂହ ରହିଛନ୍ତି।
୨୦୨୦ମିଳିଥିବା ରିପୋର୍ଟ ଅନୁସାରେ ତାଞ୍ଜାନିଆରେ ସିଂହଙ୍କ ସଂଖ୍ୟା ୧୫ ହଜାର ଓ ଦକ୍ଷିଣ ଆଫ୍ରିକାରେ ସିଂହଙ୍କ ସଂଖ୍ୟା ୩,୫୦୦ ଥିଲା। ଭାରତରେ ସେହି ସମୟରେ ସିଂହଙ୍କ ସଂଖ୍ୟା ଥିଲା ମାତ୍ର ୬୭୪। ଅବଶ୍ୟ ୨୦୧୫ରେ ଏଠାରେ ୫୨୩ ସିଂହ ଥିଲେ ତେବେ ଆମ ଦେଶରେ ଦେଖାଯାଉଥିବା ଏସିଆଟିକ୍ ସିଂହକୁ ଅନ୍ତର୍ଜାତୀୟ ୟୁନିଅନ ଫର କନ୍ଜରଭେଶନ ଅଫ ନେଚର, ରେଡ ତାଲିକାଭୁକ୍ତ କରିଛି । ଆମ ଦେଶରେ କେବଳ ଗୁଜରାଟର ଗିର୍ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ସିଂହ ଦେଖିବାକୁ ମିଳିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ ଦେଶରେ ଗୋଟିଏ ସ୍ଥାନରେ ସିଂହ ରହିଥିବାରୁ ଅନ୍ୟ କେଉଁଠି ରଖିବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବୀ କରୁଛନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଗିର୍ ଜଙ୍ଗଲରେ ହୋଇଯାଏ ଏବଂ ସିଂହଙ୍କ ମୃତ୍ୟୁ ଘଟେ ତେବେ ଭାରତରେ ସିଂହଙ୍କ ବଂଶ ଲୋପ ପାଇଯିବାର ଆଶଙ୍କା ରହିଛି ।