ମୁମ୍ବାଇ: ୨୦୨୪ ଜୁଲାଇ ୧୨ ତାରିଖ। ଏହା ସ୍ମରଣୀୟ ଦିନ। ଦେଶର ବ୍ୟବସାୟିକ ରାଜଧାନୀ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଯେତେବେଳେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତଙ୍କ ରାଧିକା ମାର୍ଚେଣ୍ଟଙ୍କ ସହିତ ବିବାହ ହେଉଛି, ବିଶ୍ବର ଜଣାଶୁଣା ଲୋକ ଅତିଥି ଏହି ସମାରୋହରେ ଯୋଗ ଦେଇଛନ୍ତି। ଅନନ୍ତ-ରାଧିକା ସାତ ଜନମର ସାଥୀ ହୋଇଛନ୍ତି। ଦେଶ-ବିଦେଶର ଭିଆଇପି ଅତିଥି ସମାରୋହରେ ଯୋଗ ଦେଇଛନ୍ତି। ଜୁଲାଇ ୧୪ ତାରିଖ ଯାଏଁ ଜାରି ରହିବାକୁ ଥିବା ଅନନ୍ତ-ରାଧିକାଙ୍କ ଏହି ବିବାହ ବହୁ ବର୍ଷ ପର୍ଯ୍ୟନ୍ତ ମନେ ରହିବ।
ବିବାହ ପରେ ଅନନ୍ତ-ରାଧିକାଙ୍କ ପ୍ରଥମ ଫଟୋ ଗଣମାଧ୍ୟମକୁ ଆସିଛି। ଏହି ଫଟୋରେ ଉଭୟ ବର-କନ୍ୟା ବରଣମାଳା ଅଦଳବଦଳ କରିଛନ୍ତି। ଏହି ବିବାହ ଶୁକ୍ରବାର ଓ ଶନିବାର ରାତି ୧୨ଟା ୩୦ରେ ଶେଷ ହୋଇଥିଲା। ବର-କନ୍ୟାଙ୍କ କଥା ଯଦି କହିବା ଅନନ୍ତ ନାଲି ରଂଗର ଶେରୱାନୀ ପିନ୍ଧିଥିଲେ। ଧଳା ରଂଗର ଲେହେଙ୍ଗାରେ ରାଧିକାଙ୍କ ପୋଶାକ ଆକର୍ଷଣୀୟ ଦେଖାଯାଉଥିଲା। ହଜାର ହଜାର ଅତିଥିଙ୍କ ନଜର ବର-କନ୍ୟାଙ୍କ ଉପରେ ଥିଲା।
ବିବାହ ପାଇଁ ରାଧିକା ଡିଜାଇନର ଆବୁ ଜାନୀ ସନ୍ଦୀକଙ୍କ ‘ପେନେତର’ କଲେକଶନ୍ର ଲେହେଙ୍ଗା ପିନ୍ଧିଥିଲେ। ଧଳା ଲେହେଙ୍ଗା ସହିତ ଲାଲ ଦୁପଟ୍ଟା ପାଇଁ ଅମ୍ବାନୀ ପରିବାରର ସାନ ବୋହୂ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହା ଥିଲା ଗୁଜରାଟି ସଂସ୍କୃତିର ଅନ୍ୟ ଏକ ଝଲକ।
ଅନନ୍ତ-ରାଧିକାଙ୍କ ବିବାହ ବୈଦିକ ରୀତିନୀତି ଅନୁସାରେ ସଂପନ୍ନ ହୋଇଥିଲା। ଅନନ୍ତ ଅପରାହ୍ଣ ୪ଟାରେ ବରଯାତ୍ରୀ ନେଇ ନିଜର ନିବାସ ଆଣ୍ଟିଲିଆରୁ ବାହାରିଥିଲେ। ପାରଂପରିକ ବାଦ୍ୟରେ ବିବାହ ଶୋଭାଯାତ୍ରା କମ୍ପି ଉଠୁଥିଲା। ବିବାହ ମଣ୍ଡପରେ ପହଞ୍ଚିଲା ପରେ ପରିବାର, ବନ୍ଧୁବାନ୍ଧବ ଓ ସ୍ବତନ୍ତ୍ର ଅତିଥିଙ୍କ ସହିତ ଫଟୋ ପୋଜ୍ ଦେଇଥିଲେ।
ଏହି ବିବାହରେ ଅନ୍ୟତମ ଆକର୍ଷଣ ଥିଲେ ବଲିଉଡ ଓ ହଲିଉଡ କଳାକାର। ଜ୍ୟାକି ଶ୍ରଫ, ସଲମାନ ଖାନ, ଅନିଲ କପୂର, ମାଧୁରୀ ଦୀକ୍ଷିତ, ପ୍ରିୟଙ୍କା ଚୋପ୍ରା, ତାଙ୍କ ସ୍ବାମୀ ନିକ୍ ଜୋନ୍ସ ରଣବୀର ସିଂହ, ଅର୍ଜୁନ କପୂର, ଅନନ୍ୟା ପାଣ୍ଡେ, ସାରା ଅଲୀ ଖାନ, ଖୁସି କପୂର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସଂଗୀତ ସଂଯୋଜକ ଏଆର ରହମାନ, ଦକ୍ଷିଣ ଷ୍ଟାର ରଜନୀକାନ୍ତ, ନିର୍ଦ୍ଦେଶକ ଏଟଲୀ କୁମାର, ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ପରିବାର, ହାର୍ଦ୍ଦିକ ପାଣ୍ଡ୍ୟା ଭଳି ହସ୍ତୀ ସମାରୋହକୁ ଅଧିକ ଆକର୍ଷିତ କରିଥିଲେ। ଏତଦ୍ ବ୍ୟତୀତ ରାଜନୀତି, ବ୍ୟବସାୟ ଦୁନିଆର ଅନେକ ଜଣାଶୁଣା ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଅନନ୍ତ ଓ ରାଧିକା ଗତ ମାର୍ଚ୍ଚରେ ଜମନଗରରେ ନିଜର ପ୍ରି ୱେଡିଙ୍ଗ ମହୋତ୍ସବ ପାଳନ କରିଥିଲେ। ସେଠାରେ ୩ଦିନ ଯାଏଁ ପାଖାପାଖି ୧୨୦୦ ଅଥିତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପପ ଆଇକନ ରିହାନା ଓ ଦିଲଜୀତ ଦୋସାଞ୍ଝଙ୍କ ସମେତ ଅରିଜୀତ ସିଂହ ପ୍ରସ୍ତୁତି ଦେଇଥିଲେ। ପରେ ଜୁନ ମାସରେ ଅମ୍ବାନୀ ୟୁରୋପର ଏକ ବିଳାସମୟ କ୍ରୁଜରେ ଏକ ଗ୍ରାଣ୍ଡ ସେକେଣ୍ଡ ପ୍ରି-ୱେଡିଂ ଆୟୋଜନ କରିଥିଲେ। ଏଥିରେ ଅତିଥିଙ୍କ ତାଲିକା ପାଖାପାଖି ୮୦୦ ରଖାଯାଇଥିଲା। ବଲିଉଡ କଳାକାରଙ୍କୁ ମଧ୍ୟ ସାମିଲ କରାଯାଇଥିଲା।