ଦେଶ ପ୍ରତି ଭଲ ପାଇବା ଓ ନିଜକୁ ଜଣେ ଭାରତୀୟ ବୋଲି ପ୍ରମାଣିତ କରିବାର ନିଶା ଯେତେବେଳେ ମଣିଷକୁ ଚଢ଼ିଯାଏ, ସେତେବେଳେ ଜଣେ କର୍ତବ୍ୟନିଷ୍ଠା ନାଗରିକ କିଛି ବି କରିପାରେ। ଆଉ ଏଭଳି ବ୍ୟକ୍ତିତ୍ବ ବୋଧହୁଏ ବହୁତ କମ୍ ଜଣ ଥାନ୍ତି । ଠିକ୍ ସେମିତି ଜଣେ ହେଉଛନ୍ତି ସମ୍ବଲପୁର ଅଞ୍ଚଳର ପ୍ରିୟଦର୍ଶୀ ପାଣିଗ୍ରାହୀ। ଦେଶପ୍ରତି ପ୍ରତି ଥିବା ଦାୟିତ୍ୱ ଯୋଗୁଁ ଦୀର୍ଘ ୨୦ ଘଣ୍ଟାର ଯାତ୍ରା କରି ନିଜ ଜନ୍ମମାଟିରେ ପହଞ୍ଚି ଭୋଟ୍ ଦେଇଛନ୍ତି ପ୍ରିୟଦର୍ଶୀ। ଦୁବାଇରେ ବସବାସ କରୁଥିବା ପ୍ରିୟଦର୍ଶୀ ହଜାର ହଜାର ମାଇଲ ଅତିକ୍ରମ କରି ନିଜ ଜନ୍ମମାଟିରେ ଥିବା ବୁଥରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି।
ପ୍ରିୟଦର୍ଶୀଙ୍କ ଏହି ଯାତ୍ରା ଏବେ ଚର୍ଚ୍ଚାରେ ରହିଛି କାରଣ କେବଳ ମତଦାନ ଲାଗି ସେ ଦୁବାଇରୁ ସମ୍ବଲପୁର ଯାଏ ଦୀର୍ଘ ୨୦ ଘଣ୍ଟାର କଠିନ ଯାତ୍ରା କରିଛନ୍ତି। ଦୁବାଇରୁ ବିମାନ ଯୋଗେ କୋଲକତାରେ ପହଞ୍ଚିଥିଲେ। ଆଉ ସେଠାରୁ ଟ୍ରେନରେ ଆସି ଝାରସୁଗୁଡ଼ାରେ ଓହ୍ଲାଇଥିଲେ। ଝାରସୁଗୁଡ଼ାରୁ ସଡ଼କ ପଥରେ ଆସି ସମ୍ବଲପୁରରେ ପହଞ୍ଚିଥିଲେ। ଘରେ କିଛି ସମୟର ବିଶ୍ରାମ ପରେ ସକାଳ ୧୧ .୩୦ ରେ ସମ୍ବଲପୁର ସହରର ବୁଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ବୁଥ ନମ୍ବର ୧୭୧ ରେ ପହଞ୍ଚି ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ।
ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପୁଅ ତଥା ୨୦୦୮ ରୁ ପ୍ରବାସୀ ଭାରତୀୟ ଭାବେ ରହି ଆସୁଥିବା ପ୍ରିୟଦର୍ଶୀ ଭୋଟ ଦେବା ପରେ କହିଛନ୍ତି ଯେ, ସମ୍ବଲପୁର ସହିତ ତାଙ୍କର ବିଶେଷ ଓ ନିବିଡ଼ ସଂପର୍କ ରହିଆସିଛି। ସେ ଏହିଠାରେ ପିଲାଟି ଦିନରୁ ବଢ଼ି ଆସିଛନ୍ତି। ଖାଲି ଏତିକି ନୁହେଁଷ ବାପା ଶ୍ରୀବଲ୍ଲଭ ମଧ୍ୟ ଏହି ସମ୍ବଲପୁରରୁ ବିଧାୟକ ଭାବେ ଓଡ଼ିଶା ବିଧାନସଭାରେ ୧୯୭୧ ଓ ୧୯୭୪ରେ ଦୁଇ ଦୁଇଥର ପାଇଁ ପ୍ରତିନିଧିତ୍ବ କରିଆସିଛନ୍ତି। ଏଣୁ ଏଠାରେ ଭୋଟ୍ ଦେବାକୁ ଆସିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର କଥା। ତା ସହିତ ଭୋଟ୍ ଦେବା ମାତୃଭୂମି ପ୍ରତି ଶ୍ରଦ୍ଧା ଓ ଦିବଂଗତ ପିତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି।
ପ୍ରିୟଦର୍ଶୀ ଆସନ୍ତାକାଲି ପୁଣି ଦୁବାଇ ଫେରିଯିବେ। ମାତ୍ର ଦିନକ ପାଇଁ ଜନ୍ମମାଟିକୁ ଆସି ଫେରିଯିବା ମନରେ ଅନେକ ଯନ୍ତ୍ରଣା ଆଣୁଥିଲେ ବି ଭୋଟ୍ ଦେଇ ବହୁତ ଖୁସି ହୋଇଛନ୍ତି ପ୍ରିୟଦର୍ଶୀ। ଯଦି ତାଙ୍କର ଏହି ଯାତ୍ରା ଅନ୍ୟକୁ ପ୍ରେରଣା ଦେଇପାରିବ, ତାହା ତାଙ୍କ ପାଇଁ ଶ୍ରେଷ୍ଠ ଉପହାର ହେବ ବୋଲି ପ୍ରିୟଦର୍ଶୀ କହିଛନ୍ତି।