ଜମ୍ମୁ କାଶ୍ମୀର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ଗାଣ୍ଡରବଲରେ ପହଞ୍ଚି Z-ମୋର ଟନେଲର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ । ତେବେ Z-ମୋର୍ ଟନେଲ ଉଦଘାଟନ୍ ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଏଥିସହ ଜାମ୍ମୁ-କାଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଉଦଘାଟନୀ ସମାରୋହରେ ନିଜ ଅଭିଭାଷଣରେ ଓମାର ଅବଦୁଲ୍ଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆନ୍ତର୍ଜାତୀୟ ଯୋଗ ଦିବସରେ ଶ୍ରୀନଗରରେ କାର୍ଯ୍ୟକ୍ରମ ସମୟରେ ୩ଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ ଯେ, ଦିଲ୍ କି ଦୂରୀ ଏବଂ ଦିଲ୍ଲୀ କି ଦୂରୀକୁ ହଟାଇବା ପାଇଁ କାମ କରୁଛନ୍ତି । ଆଜି ଏହି ଟନେଲ୍ ଉଦଘାଟନ୍ ସହ ଏହା ପ୍ରମାଣିତ ହୋଇଗଲା । ସେହି ସମୟରେ ଆପଣ ଜମ୍ମୁ-କାଶ୍ମୀରର ଲୋକମାନଙ୍କୁ କହିଥିଲେ ଯେ, ଖୁବ୍ ଶୀଘ୍ର ନିର୍ବାଚନ ହେବ ଏବଂ ଲୋକମାନେ ସେମାନଙ୍କ ଭୋଟ ମାଧ୍ୟମରେ ସେମାନଙ୍କର ସରକାର ବାଛିବାର ସୁଯୋଗ ପାଇବେ । ଆପଣ ଆପଣଙ୍କ କଥା ରଖିଲେ ଏବଂ ୪ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେଲା । ଏକ ନୂତନ ସରକାର ନିର୍ବାଚିତ ହୋଇଛି ଏବଂ ଏହାର ଫଳସ୍ୱରୂପ ମୁଁ ଏଠାରେ ମୁଖ୍ୟମନ୍ତ୍ରୀ ଭାବରେ ଆପଣଙ୍କ ସହିତ କଥା ହେଉଛି ।
୪ ମାସ ମଧ୍ୟରେ ତୁମର ପ୍ରତିଶ୍ରୁତି ପାଳନ କରିଛ ଏବଂ ଯାହା କହିଛ ତାହା ପୂରଣ କରିଛ । ସବୁଠାରୁ ବଡ଼ କଥା, କୌଣସି ଅନିୟମିତତା ବିନା ଏହା କରି ଦେଖାଇଛ । ଏହାର ଶ୍ରେୟ ଆପଣଙ୍କୁ, ଆପଣଙ୍କ ସହଯୋଗୀଙ୍କୁ ଓ ECIକୁ ଦିଆଯିବ। ନିଜ ଅଭିଭାଷଣରେ ଏମିତି ଅନେକ କଥା କହି ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ଅମର ଅବଦୁଲ୍ଲା ।
ଜମ୍ମୁ-କାଶ୍ମୀରର ଗାନ୍ଦରବଲରେ ଜେଡ୍-ମୋର୍ ଟନେଲ୍ ଉଦଘାଟନ କରାଯାଇଛି । ଏହି ଟନେଲ୍ ନିର୍ମାଣ ପରେ ଲଦାଖ ଯାତ୍ରା ଏବେ ପୂର୍ବ ଅପେକ୍ଷା ସହଜ ହୋଇଯିବ । ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ବର୍ତ୍ତମାନ ଶୀତ ଋତୁରେ ପ୍ରବଳ ତୁଷାରପାତ ହେତୁ ଏହି ହାଇୱେ ବନ୍ଦ ରହିବ ନାହିଁ । ଅର୍ଥାତ୍ ଭାରତୀୟ ସେନା ବର୍ଷସାରା ଏହି ଟନେଲ୍ ବ୍ୟବହାର କରି ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରିବେ ।
ପ୍ରାୟ ୧୨ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ୨,୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି । ଏଥିରେ ୬.୪ କିଲୋମିଟର ଲମ୍ବ ସୋନମର୍ଗ ମୁଖ୍ୟ ଟନେଲ୍, ଏକ ପ୍ରସ୍ଥାନ ସୁଡ଼ଙ୍ଗ ଏବଂ ପ୍ରବେଶ ପଥ ରହିଛି । ସମୁଦ୍ର ପତ୍ତନଠାରୁ ୮,୬୫୦ ଫୁଟରୁ ଅଧିକ ଉଚ୍ଚରେ ଥିବା ଏହି ପ୍ରକଳ୍ପ ଲେହ ରାସ୍ତାରେ ଶ୍ରୀନଗର ଏବଂ ସୋନମର୍ଗ ମଧ୍ୟରେ ସବୁ ସମୟରେ ସଂଯୋଗକୁ ବଢ଼ାଇବ । ଭୂସ୍ଖଳନ ଓ ହିମସ୍ଖଳନରୁ ରକ୍ଷା କରିବା ସହିତ ଲଦାଖ ଅଞ୍ଚଳରେ ସୁରକ୍ଷିତ ପ୍ରବେଶ ସୁନିଶ୍ଚିତ କରିବ । ଏହାସହିତ ସୋନମର୍ଗକୁ ବର୍ଷସାରା ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବ ଏହି ପ୍ରକଳ୍ପ, ଯାହା ଦ୍ୱାରା ପର୍ୟ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଶୀତକାଳୀନ ପର୍ଯ୍ୟଟନ ଏବଂ ସ୍ଥାନୀୟ ଜୀବିକାକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ।
ତେବେ ଏହି ସୁଡ଼ଙ୍ଗକୁ Z ମୋର୍ ଟନେଲ୍ କୁହାଯିବାର କାରଣ ହେଲା, ଏହା ଇଂରାଜୀ ଅକ୍ଷର ‘Z’ ଆକାର ସଦୃଶ । ଏହି ଟନେଲ୍ ନିର୍ମାଣ ପରେ ୧୨ କିଲୋମିଟରର ଦୂରତା ଏବେ ହ୍ରାସ ପାଇ ୬.୫ କିଲୋମିଟର ହୋଇଛି । ଏହି ଦୂରତା ଅତିକ୍ରମ କରିବାକୁ ମାତ୍ର ୧୫ ମିନିଟ୍ ସମୟ ଲାଗିବ ।