ତାମିଲନାଡୁରେ ଅପ୍ରତ୍ୟାଶିତ ନିର୍ବାଚନ ଫଳାଫଳ ପରେ ନୂଆ ସରକାରକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତା ବିଜୟଙ୍କ ନୂତନ ପାର୍ଟି TVK ସମସ୍ତଙ୍କୁ ଚକିତ କରି ରାଜ୍ୟର ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି, କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ବିଜୟ ଆଜି ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ କୌଣସି ପ୍ରକାରର ସୁରକ୍ଷା ନେବାକୁ ମନା କରିଦେଇଛନ୍ତି।
TVK ମୁଖ୍ୟ ବିଜୟ ଆଜି ଗୁରୁବାର କହିଛନ୍ତି ଯେ, ଶପଥ ଗ୍ରହଣ ନହେବା ପର୍ଯ୍ୟନ୍ତ ପ୍ରୋଟୋକଲ୍ ଅନୁଯାୟୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଥିବା ପୋଲିସ କାରକେଡ୍ (Police Convoy) ଗାଡ଼ି ନେବାକୁ ସେ ଅସ୍ୱୀକାର କରିଛନ୍ତି। ଜଣେ ପୋଲିସ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ନିର୍ବାଚନ ଫଳାଫଳ ପରେ "ପ୍ରୋଟୋକଲ୍" ଅନୁଯାୟୀ ତାଙ୍କୁ ଦିଆଯାଇଥିବା CM କାରକେଡ୍ ଗାଡ଼ିଗୁଡ଼ିକୁ ସେ ଫେରସ୍ତ କରିଦେଇଛନ୍ତି। ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପୋଲିସ ଗାଡ଼ି ଫେରାଇଲେ
ଅନ୍ୟପଟେ, TVK ସ୍ପଷ୍ଟ କରିଛି ଯେ ଦଳର ପ୍ରତିଷ୍ଠାତା ବିଜୟ "ନିଜେ ହିଁ ପୋଲିସ ଗାଡ଼ିଗୁଡ଼ିକୁ ଫେରାଇ ଦେବାକୁ କହିଥିଲେ"। TVK ନିଜ ବୟାନରେ କହିଛି, "ବିଜୟ କହିଛନ୍ତି ଯେ ସେତେବେଳେ ହିଁ ମୁଖ୍ୟମନ୍ତ୍ରୀ ସ୍ତରର ସରକାରୀ ସୁରକ୍ଷା ଗ୍ରହଣ କରିବେ, ଯେତେବେଳେ ସେ ସ୍ପଷ୍ଟ ଜନାଦେଶ ସହ ସରକାର ଗଠନ କରିବେ"।
ତାମିଲନାଡୁରେ ୪ ମଇରେ ଆସିଥିବା ନିର୍ବାଚନ ଫଳାଫଳରେ TVK ୧୦୮ଟି ଆସନରେ ବିଜୟ ହାସଲ କରିଥିଲା। ସେତେବେଳେ ବିଜୟଙ୍କୁ କାରକେଡ୍ ପାଇଁ ୪ଟି ଗାଡ଼ି ଦିଆଯାଇଥିଲା, କିନ୍ତୁ ସେ ତାହାକୁ ଫେରାଇ ନେବାକୁ ଅନୁରୋଧ କରିଥିଲେ ଏବଂ ଏହାପରେ ସେହି ଗାଡ଼ିଗୁଡ଼ିକ ତାଙ୍କ ଘରୁ ଫେରିଯାଇଥିଲା। ଗତକାଲି ୬ ମଇରେ ଯେତେବେଳେ ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାକୁ ଯାଇଥିଲେ, ସେତେବେଳେ ପୋଲିସ ତାଙ୍କ ପାନୟୁର ସ୍ଥିତ ବାସଭବନ ଏବଂ ଲୋକ ଭବନ ସମ୍ମୁଖରେ ସୁରକ୍ଷା ବାହିନୀ ମୁତୟନ କରିଥିଲା। କିନ୍ତୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ବିଜୟ ସରକାରୀ ଗାଡ଼ି ବ୍ୟବହାର କରିନଥିଲେ।
ଶପଥ ଗ୍ରହଣ ପାଇଁ ଷ୍ଟାଡିୟମରେ ପହଞ୍ଚିଲେ ସମର୍ଥକ
ଅଭିନେତା ବିଜୟଙ୍କ ଶପଥ ଗ୍ରହଣ ଖବର ଶୁଣି ଅରୁମ୍ବାକ୍କମ ଏବଂ କୋଏମ୍ବାଟୁର ଭଳି ବିଭିନ୍ନ ଅଞ୍ଚଳରୁ ସମର୍ଥକମାନେ ଷ୍ଟାଡିୟମରେ ଭିଡ଼ ଜମାଇଥିଲେ। କିନ୍ତୁ ସେଠାରେ କୌଣସି କାର୍ଯ୍ୟକ୍ରମ ନଥିବାରୁ ସେମାନେ ନିରାଶ ହୋଇଥିଲେ। ଚାରୁଲତା ନାମକ ଜଣେ ମହିଳା ସମର୍ଥକ କହିଛନ୍ତି, "ଆମେ ବହୁତ ଖୁସିରେ ଆସିଥିଲୁ ଯେ ସେ ଆଜି ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ଏଠାରେ କିଛି ନାହିଁ। ଦ୍ୱାର ବନ୍ଦ ଅଛି। ଏହା ବହୁତ ଦୁଃଖଦାୟକ।"
ତାଙ୍କ ଝିଅ ସାଇ ଦୀପିକା ମଧ୍ୟ ନିଜର ଉତ୍ସାହ ପ୍ରକାଶ କରି କହିଛନ୍ତି, "ମୁଁ ସମସ୍ତଙ୍କୁ କହି ଆସୁଛି ଯେ ସେ ଜିତିବେ ଏବଂ ଲୋକଙ୍କ ପାଇଁ ଭଲ କାମ କରିବେ।"
ଘର ଲୋକଙ୍କୁ ନକହି ଷ୍ଟାଡିୟମ ଆସିଲେ ମହିଳା
AIADMK ସମର୍ଥକ ପରିବାରରୁ ଆସିଥିବା ଗୁଣସୁନ୍ଦରୀ କହିଛନ୍ତି ଯେ ସେ ଏବେ ବିଜୟଙ୍କୁ ସମର୍ଥନ କରୁଛନ୍ତି। ସେ କୁହନ୍ତି, "ମୁଁ ସମସ୍ତଙ୍କ ସାମ୍ନାରେ କହୁଛି ଯେ ମୁଁ ବିଜୟଙ୍କୁ ଭୋଟ୍ ଦେଇଛି। ସେ ନିଜ ପତାକା କିମ୍ବା ମଞ୍ଚ ପାଇଁ ଲୋକଙ୍କଠାରୁ ଟଙ୍କାଟିଏ ବି ନେଇନାହାଁନ୍ତି। ସେ ସବୁ ନିଜେ କରିଛନ୍ତି। ଯିଏ ଯେତେ ବାଧା ସୃଷ୍ଟି କଲେ ବି ଶେଷରେ ବିଜୟ ତାଙ୍କର ହିଁ ହେବ।"
ଗୁଣସୁନ୍ଦରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖବରକାଗଜ ଏବଂ ସୋସିଆଲ ମିଡିଆ ରିପୋର୍ଟ ଦେଖି ସେ ଆସିଥିଲେ। ସେ ନିଜ ପୁଅକୁ ନଜଣାଇ କେବଳ ବିଜୟଙ୍କୁ ଥରେ ଦେଖିବା ପାଇଁ ଏହି ଯାତ୍ରାରେ ବାହାରି ପଡ଼ିଥିଲେ।