ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ୧୦୮ ସିଟ୍ ଜିତିବା ପରେ ବି ମ୍ୟାଜିକ ନମ୍ବରଠୁ ଦୂରରେ ରହିଗଲେ ଥାଲାପତି ବିଜୟ । ସରକାର ଗଢିବା ପାଇଁ ସଂଖ୍ୟା ଯୋଗାଡ ମଧ୍ୟରେ ପୁଣି ଥରେ ଲୋକଭବନ ପହଞ୍ଚିଛନ୍ତି ବିଜୟ । ତାଙ୍କୁ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ଡକାଇଛନ୍ତି । କୁହାଯାଉଛି ରାଜ୍ୟପାଳ ତାଙ୍କୁ ସରକାର ଗଢିବାକୁ ସୁଯୋଗ ଦେବା ପାଇଁ ଡକାଇଛନ୍ତି । କେବଳ ଏତିକି ନୁହେଁ ଟିଭିକେର କହିବା କଥା ଆମେ ସରକାର ଗଠନ ପରେ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତୁତ ଅଛୁ । ଏହା ବ୍ୟତୀତ ସରକାର ଗଠନର ସୁଯୋଗ ନ ମିଳିଲେ ଆଇନଗତ ବିକଳ୍ପ ଉପରେ ବିଚାର କରାଯାଇପାରେ । ବର୍ତ୍ତମାନ ବିଜୟଙ୍କ ପାର୍ଟି ଟିଭିକେ ପାଖରେ ନିଜର ୧୦୮ ବିଧାୟକ ଏବଂ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ରହିଛି । ଏହିପରି ସରକାର ଗଠନରୁ ମାତ୍ର ୫ ସିଟ୍ ଦୂରରେ ରହିଛି ଟିଭିକେ ।
କଂଗ୍ରେସ ନିଜର ସମର୍ଥନ ବଳରେ ଗୋଟିଏ ସର୍ତ୍ତ ରହିଛି, ତାହା ହେଉଛି ମେଣ୍ଟ ସରକାରରେ ବିଜେପି ଯେମିତି ସାମିଲ୍ ନ ହୁଏ । ଟିଭିକେ ଆଶା ରଖିଛି ଯେ, ଆବଶ୍ୟକ ସଂଖ୍ୟା ସିପିଏମ, ସିପିଆଇ, ପିଏମକେ ସାହାଯ୍ୟରେ ମିଳିପାରେ । ପିଏମକେ ପାଖରେ ମୋଟ୍ ୪ ସିଟ୍ ରହିଛି ଏବଂ ବାକି ଅନ୍ୟ ପାଖରେ ୨ଟି ସିଟ୍ ରହିଛି । ସଦ୍ୟତମ ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ କଂଗ୍ରେସ ବ୍ୟତୀତ ଅନ୍ୟ ଦଳ ଟିଭିକେକୁ ସମର୍ଥନ ଦେଇ ନାହାନ୍ତି । ଅନ୍ୟପଟେ ଚର୍ଚ୍ଚା ଚାଲିଛି ଯେ, ଡିଏମକେ ଓ ଏଆଇଏଡିଏମକେ ମିଶି ଅନ୍ୟ ଦଳ ସହ ସରକାର ଗଠନ ନେଇ ବିଚାର କରୁଛନ୍ତି । ହେଲେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଖବର ସାମ୍ନାକୁ ଆସିନି ।
ବିଜୟ ଦୁଇଟି ସିଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏମିତିରେ ତାଙ୍କୁ ଗୋଟିଏ ସିଟ୍ ଛାଡିବାକୁ ପଡିବ । ଏମିତି ହେଲେ ଟିଭିକେ ସଂଖ୍ୟା ୧୦୭ ରହିଯିବ । ରାଜ୍ୟପାଳ ବିଜୟଙ୍କୁ ପୂରା ନମ୍ବର ସହିତ ଦାବି ଉପସ୍ଥାପନ କରିବାକୁ କହିଛନ୍ତି । ଅନ୍ୟପକ୍ଷେ ବିଜୟଙ୍କ କହିବା କଥା ଆମେ ସରକାର ଗଢିବା ପରେ ବିଧାନସଭାରେ ଆସ୍ଥା ଭୋଟ୍ ସମୟରେ ବହୁମତ ପ୍ରମାଣ କରି ପାରିବୁ । ଏହା ମଧ୍ୟରେ କଂଗ୍ରେସ ରାଜ୍ୟପାଳଙ୍କ କାର୍ଯଶୈଳୀକୁ ନେଇ ଖପ୍ପା । କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ, ରାଜ୍ୟପାଳଙ୍କ ପାଖରେ କୌଣସି ବିକଳ୍ପ ନାହିଁ । ସେ ରାଜ୍ୟର ସବୁଠୁ ବଡ ପାର୍ଟିକୁ ସରକାର ଗଠନ ପାଇଁ ଡକାଇବା ଉଚିତ୍ ।