ତାମିଲନାଡୁ ରାଜନୀତିରେ ଏବେ ନୂଆ ଟ୍ୱିଷ୍ଟ। ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ କଂଗ୍ରେସ ସମର୍ଥନ ଦେବାକୁ ଆଗେଇ ଆସିଥିବା ବେଳେ କିନ୍ତୁ ଏହି ସମର୍ଥନ ସହ ଆସିଛି ଏକ ସ୍ପଷ୍ଟ ଶର୍ତ୍ତ ଯେ ସମ୍ବିଧାନକୁ ମାନିନଥିବା କୌଣସି ‘ସାମ୍ପ୍ରଦାୟିକ ଶକ୍ତି’ ସହ ମେଣ୍ଟ ହେବ ନାହିଁ।
ବିଧାନସଭା ନିର୍ବାଚନରେ TVK ୧୦୮ଟି ସିଟ୍ ଜିତି ବଡ଼ ଶକ୍ତି ଭାବେ ଉଭା ହୋଇଥିଲା, କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ୧୧୮ରୁ ଦୂରରେ ରହିଛି। କଂଗ୍ରେସର ୫ଟି ସିଟ୍ ମିଶାଇ ଏବେ ମୋଟ ୧୧୨ ହେଉଥିବା ବେଳେ, ତଥାପି ମ୍ୟାଜିକ୍ ନମ୍ବର ପହଞ୍ଚିବା କଷ୍ଟକର ହେଉଛି।
ସରକାର ଗଠନ ପାଇଁ ଦଳକୁ ଆହୁରି ୧୦ ଜଣ ବିଧାୟକଙ୍କ ସମର୍ଥନ ଦରକାର ହେଉଥିବା ବେଳେ ଏହା କଂଗ୍ରେସକୁ ସମର୍ଥନ ମାଗିବା ସହିତ ଆଉ କିଛି ଛୋଟ ଦଳ ସହିତ ଆଲୋଚନା କରୁଛି। କାରଣ କଂଗ୍ରେସର ସମର୍ଥନ ପରେ ବି ଦଳକୁ ଆହୁରି ୫ ବିଧାୟକଙ୍କ ସମର୍ଥନ ଲୋଡ଼ା। ଶୁଣାଯାଉଛି, ତାମିଲନାଡୁରେ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନର ହାତ ବଢ଼ାଇଛି କଂଗ୍ରେସ। ଏନେଇ ତାମିଲନାଡୁ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇଛି।
ଟିଭିକେକୁ ସମର୍ଥନ କରିବାକୁ ମୁଖ୍ୟତଃ ଦୁଇଟି ସର୍ତ୍ତ ରଖିଛି କଂଗ୍ରେସ। ଏହାର ୫ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲା ବେଳେ ୨ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବାକୁ ପ୍ରସ୍ତାବ ରଖିଛି। ତା ସହିତ ଅନ୍ୟମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ପଦ ଦେବାକୁ ଦାବି କରିବ ଦଳ। ରାଜ୍ୟ କଂଗ୍ରେସ ତା'ର ନିଷ୍ପତ୍ତି ସମ୍ପର୍କରେ ଟିଭିକେକୁ ଜଣାଇ ସାରିଛି।
ବିଦୁଥାଲାଇ ଚିରୁଥାଇଗାଲ କାଟଚି(ଭିସିକେ), ସିପିଆଇଏମ, ସିପିଏମ ଓ ଇଣ୍ତିଆନ ୟୁନିୟନ ମୁସଲିମ ଲିଗ ସହ କଥାବାର୍ତ୍ତା କରୁଛି ଟିଭିକେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡିଏମକେ ନେତୃତ୍ୱାଧୀନ ସେକ୍ୟୁଲାର ପ୍ରୋଗ୍ରେସିଭ ମେଣ୍ଟ ବା ଏସ୍ପିଏର ଅଂଶବିଶେଷ ହେଉଛନ୍ତି କଂଗ୍ରେସ, ଭିସିକେ, ସିପିଆଇ, ସିପିଆଇଏମ ଓ ଆଇୟୁଏମଏଲ। ଏହି ଦଳଗୁଡ଼ିକ ଏକାଠି ତାମିଲନାଡୁରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ରାଜ୍ୟରେ ୫ଟି ଆସନ ଜିତିଥିବା ବେଳେ ଆଇୟୁଏମଏଲ ୪ଟି, ସିପିଆଇ, ସିପିଆଇଏମ ଓ ଭିସିକେ ୨ଟି ଲେଖାଏ ଆସନ ଜିତିଛନ୍ତି। ଯଦି କଂଗ୍ରେସ ଓ ମେଣ୍ଟରେ ଥିବା ବାକି ଦଳଗୁଡ଼ିକ ବିଜୟଙ୍କ ସହ ହାତ ମିଳାନ୍ତି, ତା’ହେଲେ ଟିଭିକେ ବେଶ ସହଜରେ ତାମିଲନାଡୁରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରି ନେବ।
ସୂଚନା ଯୋଗ୍ୟ ଯେ, ଥାଲପତି ବିଜୟ ଆସନ୍ତା ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ତାଙ୍କ ସହିତ ୯ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ତଥାପି ସରକାର ଗଠନରେ ଗଣିତ ଏବେ ବଡ଼ ଚ୍ୟାଲେଞ୍ଜ। ଗୋଟିଏ ସୀଟ୍ ଖାଲି ରହିବା ଓ ସ୍ପିକର ଭୋଟ୍ ନ ଦେବା ଭଳି କାରଣରୁ ଅବସ୍ଥା ଆଉ ଜଟିଳ ହୋଇପଡ଼ିଛି। ଏହି ପରିସ୍ଥିତିରେ ଟିଭିକେକୁ ଆଉ ମେଣ୍ଟ ସାଥୀ ଖୋଜିବାକୁ ପଡ଼ିପାରେ। ତାମିଲନାଡୁରେ ଆଗାମୀ ଦିନରେ ରାଜନୀତି କେଉଁ ଦିଗକୁ ଘୁରିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
ଅଧିକ ପଢନ୍ତୁ: ଟିଭିକେକୁ ମିଳିଲା 'ହାତ'ର ସାଥ; ସମର୍ଥନ ପାଇଁ ଗ୍ରୀନ୍ ସିଗ୍ନାଲ୍ ଦେଲା କଂଗ୍ରେସ, ଶପଥ ଉତ୍ସବରେ ସାମିଲ ହେବେ ରାହୁଲ!