ଭୁବନେଶ୍ୱର: ସେଦିନ ବି ତାରିଖ ଥିଲା ଜୁନ୍ ୧୨। ଯେଉଁଦିନ ଜନଜାତି ବର୍ଗର ଜଣେ ସାଧାରଣ ପୃଷ୍ଠଭୂମିର ଆସିଥିବା ବ୍ୟକ୍ତି ପାୱାର କରିଡର୍ର ନୂଆ ମୁହଁ ଭାବେ ଉଭା ହୋଇଥିଲେ। କେହି କେହି ଏହାକୁ ଐତିହାସିକ ମୁହୂର୍ତ୍ତ କହିଲେ, ଆଉ କେହି କେହି କହିଲେ ଭାଗ୍ୟ। କିନ୍ତୁ ଓଡ଼ିଶା ରାଜନୀତି ଇତିହାସ ପାଇଁ ଆରମ୍ଭ ହୋଇଥିଲା ଭିନ୍ନ ଏକ ସୂର୍ଯ୍ୟୋଦୟ....କଳ୍ପନାଜଳ୍ପନାର ଅନ୍ତ ଘଟାଇ ସାମ୍ନାକୁ ଆସିଥିଲା ଏକ ନାଁ ମୋହନ ଚରଣ ମାଝୀ।
ଜୁନ୍ ୧୨, ୨୦୨୪...ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାର ଏକ ସାନ୍ତାଳୀ ପରିବାରରେ ଜନ୍ମିତ ମୋହନ ଚରଣ ମାଝୀ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ମୋହନଙ୍କ ସରଳତା ହିଁ ତାଙ୍କ ପାଇଁ ଆଶୀର୍ବାଦ ସାଜିଥିଲା। ତୃଣମୂଳ ସ୍ତରରୁ ଉପରକୁ ଉଠିଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବା ସମସ୍ତଙ୍କୁ ବିସ୍ମିତ କରିଥିଲା। ଦୀର୍ଘଦିନ ଧରି ସାଧାରଣ ଲୋକଙ୍କଠାରୁ ଦୂରେଇ ରହୁଥିବା ମୁଖ୍ୟମନ୍ତ୍ରୀ ବଦଳରେ ଲୋକେ ପାଇଥିଲେ 'ଲୋକଙ୍କ ମୁଖ୍ୟମନ୍ତ୍ରୀ।
ବିଜେପିର ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ 'ଓଡ଼ିଆ ଅସ୍ମିତା' ଆଧାରରେ ନିଷ୍ପତ୍ତିଠାରୁ ଆରମ୍ଭ କରି ଶାସନର ପରିଭାଷା ବଦଳାଇବାରେ ସଫଳ ହୋଇପାରିଛନ୍ତି ମୋହନ। ସରକାରକୁ ଆସିବା ପରେ ଓଡ଼ିଆଙ୍କ ଭାବନା ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଚାରିଦ୍ୱାର ଜନସାଧାରଣଙ୍କ ପାଇଁ ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଆଦି ପଦକ୍ଷେପ ଲୋକଙ୍କ ହୃଦୟ ଜିତିପାରିଛି।
ବିଶେଷ କରି ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ଅଭିଯୋଗ ଶୁଣାଇ ପାରୁଛନ୍ତି। ମୋହନ ସରକାରଙ୍କ ପ୍ରଥମ ବର୍ଷରେ 'ଲୋକଙ୍କ ସରକାର' ନାରାକୁ ପ୍ରତିଫଳିତ କରିପାରିଛି ଏହି ଅଭିନବ ପ୍ରୟାସ। ଭୁବନେଶ୍ୱର ସହ ସମ୍ବଲପୁରରେ ଅଭିଯୋଗ ଶୁଣାଣି ଏହାର ଉଦାହରଣ। ନିକଟରେ ବରିଷ୍ଠ ସାମ୍ବାଦିକମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକମାନେ କ୍ଷମତାର ଶୀର୍ଷରେ ଥିବା ବ୍ୟକ୍ତିଙ୍କ ସହ ଓଡ଼ିଶାର ସମସ୍ୟା ବାବଦରେ ମତ ବିନିମୟ କରିବା ଗଣତନ୍ତ୍ରର ନିଆରା ଏକ ଦୃଶ୍ୟ ନିଶ୍ଚୟ।
ନବୀନ ପଟ୍ଟନାୟକ ଥିବାଯାଏଁ ବିଜେଡି ସରକାରର ଶାସନରେ ଯେ ଦିନେ ଅନ୍ତ ଘଟିବ, ଏକଥା ରାଜନୀତି ସମୀକ୍ଷକମାନେ ପରିକଳ୍ପନା ମଧ୍ୟ କରିପାରୁନଥିଲେ। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇଥିବା ଓଡ଼ିଶାବାସୀ ଏବେକାର ବିଜେପି ସରକାରଙ୍କଠାରୁ ବହୁତ କିଛି ଆଶା ରଖିଛନ୍ତି। ଶାସନକୁ ଆସିବାର କିଛି ଦିନ ମଧ୍ୟରେ ବିଜେପି ସରକାର ଯଦିଓ ଅନେକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିସାରିଛନ୍ତି, ଆଗକୁ ଆହୁରି କିଛି କରିବାର ଆହ୍ୱାନ ମଧ୍ୟ ଅଛି।
ବିଶେଷ କରି ସୁଭଦ୍ରା ଯୋଜନା ମାଧ୍ୟମରେ ୧ କୋଟି ମହିଳାମାନଙ୍କୁ ମିଳୁଥିବା ହାତପାଣ୍ଠି, ମହିଳା ସଶକ୍ତିକରଣର ଉଦାହରଣ ସାଜିଛି। ସେହିଭଳି ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଏ ସରକାରର ବଡ଼ ସଫଳତା। ଅନ୍ୟପକ୍ଷରେ କୃଷି ସମୃଦ୍ଧ ଓଡ଼ିଶାର ଚାଷୀମାନଙ୍କ ଦୀର୍ଘଦିନର ଦାବି ପୂରଣ କରାଯାଇ ଏମଏସପି ଉପରେ ୮୦୦ ଟଙ୍କାର ଇନପୁଟ୍ ସହାୟତା ଦିଆଯାଇଛି। ପ୍ରତି ଉପଖଣ୍ଡରେ ଶୀତଳଭଣ୍ଡାର ପାଇଁ ଅନୁମୋଦନ ମିଳିସାରିଛି। ଅନ୍ୟପକ୍ଷରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଖି ଦୃଶିଆ ପଦକ୍ଷେପମାନ ନିଆଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଭଳି ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବାର ପ୍ରୟାସ କରାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ଶାତାୟୁ ବିଦ୍ୟାଳୟଗୁଡ଼ିକର ନବୀକରଣ ନିଷ୍ପତ୍ତି ଏ କ୍ଷେତ୍ରରେ ପ୍ରମୁଖ ପଦକ୍ଷେପ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ବିକାଶ, ଜନଜାତି ବିକାଶ ଏବଂ ଯୁବବର୍ଗଙ୍କ ବିକାଶ ପାଇଁ ଏ ସରକାରରେ ନିଆଯାଇଥିବା ପଦକ୍ଷେପ ନୂତନ ଆଶା ସଞ୍ଚାର କରିପାରିଛି।
ମୋହନ ଚରଣ ମାଝୀଙ୍କ ଶାସନର ଏକ ବର୍ଷ ପୂରଣ ହୋଇଛି। ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ମଧ୍ୟ ରହିଛି। ଏକ ସରକାର ଏବଂ ନେତୃତ୍ୱକୁ ସମୀକ୍ଷାର କଷଟି ପଥରରେ ପରଖିବା ପାଇଁ ଏକ ବର୍ଷ ବହୁତ କମ ସମୟ ନିଶ୍ଚୟ। କିନ୍ତୁ ରାଜ୍ୟର ଦୀର୍ଘମିଆଦି ଓ ସର୍ବାଙ୍ଗୀନ ବିକାଶ ପାଇଁ ମୋହନ ମାଝୀଙ୍କ ସରକାର ଆଗାମୀ ୪ ବର୍ଷରେ କ'ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି।