ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭାରତର ଉପ ପ୍ରଧାନମନ୍ତ୍ରୀ କରିବାକୁ ସେ କହିଛନ୍ତି ।
ଅଶ୍ୱିନୀ ଚୌବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହିତ ତାଙ୍କର ବ୍ୟକ୍ତିଗତ ଇଚ୍ଛାକୁ ପରିପ୍ରକାଶ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେଉଁଭଳିଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି, ଯଦି ତାଙ୍କୁ ଉପ ପ୍ରଧାନମନ୍ତ୍ରୀ କରାଯିବ ତେବେ ବିହାରର ବିକାଶକୁ ଏକ ନୂତନ ଗତି ମିଳିବ । ବିହାରକୁ କେନ୍ଦ୍ରରେ ଏକ ମଜବୁତ ପ୍ରତିନିଧିତ୍ୱ ମିଳିବ । ସ୍ୱ.ବାବୁ ଜଗଜୀବନ ରାମଙ୍କ ପରେ ବିହାରରୁ କେହି ଜଣେ ନେତାଙ୍କୁ ଉପ ପ୍ରଧାନମନ୍ତ୍ରୀ ଦାୟିତ୍ୱ ମିଳିଲେ ରାଜ୍ୟର ସମ୍ମାନ ବଢ଼ିବା ସହିତ ବିହାରର ବିକାଶ କାର୍ଯ୍ୟକୁ ନୂଆ ଦିଗ ମିଳିବ । ମୋଦୀଙ୍କ ନେତୃତ୍ୱରେ ବିହାରକୁ ତାର ଅଧିକାର ନିଶ୍ଚିତ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
କିଏ ଏହି ଅଶ୍ୱିନୀ ଚୌବେ ?
ଅଶ୍ୱିନୀ ଚୌବେ ବିହାରର ଜଣେ ଟାଣୁଆ ନେତା । ସେ ୧୯୯୫ ରୁ ୨୦୧୪ ମଧ୍ୟରେ ପାଞ୍ଚ ଥର ବିଧାୟକ ହୋଇଛନ୍ତି । ସେ ବିହାର ମନ୍ତ୍ରୀ ମଣ୍ଡଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ରହିଛନ୍ତି । ସେହିପରି ୨୦୧୪ ଏବଂ ୨୦୧୯ରେ ଦୁଇ ଥର ଲୋକସଭା ସାଂସଦ ରହିସାରିଛନ୍ତି । ସେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।