ନୂଆଦିଲ୍ଲୀ: ବହୁ ଦିନ ଧରି ଜବାହାର ନେହେରୁ ୟୁନିଭର୍ସିଟିର ଛାତ୍ର ସଂସଦ ନିର୍ବାଚନକୁ ନେଇ ଲାଗି ରହିଥିବାବା ବିବାଦର ଅନ୍ତ ହୋଇଛି । ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତାରିଖ ଘୋଷଣା ହୋଇଛି । ଆସନ୍ତା ଏପ୍ରିଲ ୨୫ରେ ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ।
ଛାତ୍ର ସଂଗଠନ ଏବଂ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଏପ୍ରିଲ ୨୫ ତାରିଖରେ ଛାତ୍ର ସଂସଦ ପାଇଁ ମତଦାନ ହେବ । ଏହା ପୂର୍ବରୁ ୧୫ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ୧୬ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି । ୨୩ ତାରିଖରେ ‘ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ ଅନୁଷ୍ଠିତ ହେବ । ଯାହାକି ସବୁବେଳେ ଚର୍ଚ୍ଚାରେ ରହିଥାଏ । ସେହିପରି ୨୫ ତାରିଖରେ ମତ ଗ୍ରହଣ କରାଯିବା ପରେ ୨୮ ତାରିଖରେ ଫଳାଫଳ ଘୋଷଣା ହେବ ।
ଜେଏନୟୁ ଛାତ୍ର ସଂସଦ ନିର୍ବାଚନ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏହା ଉପରେ ଦେଶର ସମସ୍ତ ରାଜନୈତିକ ଦଳର ନଜର ରହିଥାଏ । ଛାତ୍ର ସଂସଦ ନିର୍ବାଚନରେ ପ୍ରତ୍ୟେକ ନିର୍ବାଚନରେ ବାମ ଛାତ୍ର ସଂଗଠନ (AISA), ଆରଏସଏସର ଛାତ୍ର ଶାଖା ଏବିଭିପି, କଂଗ୍ରେସ ଏନ ଏସୟୁଆଇ, ଏସ୍ଏଫଆଇ ଏବଂ ବିଏପିଏସ୍ଏ ଭଳି ପ୍ରମୁଖ ଛାତ୍ର ସଂଗଠନ ମଧ୍ୟରେ କଡ଼ା ଟକ୍କର ହୋଇଥାଏ । ତେବେ ଗତ କିଛି ବର୍ଷ ଧରି ବାମପନ୍ଥୀ ଛାତ୍ର ସଂଗଠନଗୁଡ଼ିକ ନିଜର ଦବଦବା ବଜାୟ ରଖିଛନ୍ତି ।