ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ଆସିଛି ବଡ ଖବର । ତାମିଲନାଡୁର ମୁଖ୍ୟ ବିରୋଧୀ ଏଆଇଏଡିଏମକେ ଓ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି(ବିଜେପି) ମଧ୍ୟରେ ମେଣ୍ଟ ହୋଇଛି । ଦୁଇ ପାର୍ଟି ଏକାଠି ମିଶି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ନେତୃତ୍ୱରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଲଢିବେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଚେନ୍ନାଇରେ ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ।
ଅମିତ ଶାହ କହିଛନ୍ତି, ଆଜି ଏଆଇଏଡିଏମକେ ଓ ବିଜେପି ନେତା ଏକାଠି ମିଶି ସ୍ଥିର କରିଛନ୍ତି ଯେ, ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏଆଇଏଡିଏମକେ, ବିଜେପି ଓ ସବୁ ଦଳ ମିଶି ଏକାଠି ଲଢିବେ । ଆଗାମୀ ସମୟରେ କେଉଁ ଦଳ କେତୋଟି ସିଟରେ ନିର୍ବାଚନ ଓ ମେଣ୍ଟ ସରକାରକୁ ଆସିଲେ କାହାକୁ କେଉଁ ମନ୍ତ୍ରଣାଳୟ ବଣ୍ଟନ କରାଯିବ ସେ ଉପରେ ନିଷ୍ପତ୍ତି ଆଗକୁ ନିଆଯିବ । ତାମିଲନାଡୁରେ ଡିଏମକେ ବାସ୍ତବିକ ପ୍ରସଙ୍ଗ ଉପରୁ ଜନତାଙ୍କ ଧ୍ୟାନ ଏଡାଇବାକୁ ଚାହୁଁଛି । ସେଥିପାଇଁ ସନାତନ ଧର୍ମ ଓ ତିନି ଭାଷା ନୀତି ପରି ପ୍ରସଙ୍ଗ ଉଠାଇ ତାମିଲନାଡୁବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଅମିତ ଶାହ କହିଛନ୍ତି ।
ଶାହ ଏହା ମଧ୍ୟ କହିଛନ୍ତି ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ମେଣ୍ଟରେ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲଢାଯିବ । ରାଜ୍ୟରେ ପଲାନିସ୍ୱାମୀଙ୍କ ଏଆଇଏଡିଏମକେ ନେତାଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯିବ । ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହଙ୍କ ସହିତ ଗୋଟିଏ ପଟେ କେ ପଲାନିସ୍ୱାମୀ ଓ ଅନ୍ୟପଟେ ବିଜେପିର ପୂର୍ବତନ ରାଜ୍ୟ ସଭାପତି କେ ଅନ୍ନମଲାଇ ଉପସ୍ଥିତ ଥିଲେ ।
ଶାହ କହିଛନ୍ତି, ଯଦି ଆବଶ୍ୟକ ପଡେ ତେବେ ଆମେ ଏକ ମିଳିତ କାର୍ଯ୍ୟକ୍ରମ ଆୟୋଜନ କରିବୁ । ଶାହ ୧୯୯୮ରେ ଲୋକସଭାରେ ମିଳିଥିବା ବଡ ବିଜୟକୁ ମଧ୍ୟ ମନେ ପକାଇଛନ୍ତି । ସେହି ସମୟରେ ବିଜେପି ଓ ଏଆଇଏଡିଏମକେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନେତୃତ୍ୱରେ ମେଣ୍ଟ ହୋଇଥିଲା । ୩୯ ଲୋକସଭା ସିଟରୁ ମେଣ୍ଟ ୩୦ଟି ଜିତିଥିଲା ।
ଶାହ ଆଶା କରିଛନ୍ତି, ୨୦୨୬ରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ତାମିଲନାଡୁରେ ସହଜରେ ବିଜୟ ହାସଲ କରିବ । ମେଣ୍ଟ କେମିତି କାମ କରିବ ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି, ବିଜେପି ଏଆଇଏଡିଏମକେର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବ ନାହିଁ ।