ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଜମି ଜାଲିଆତି ମାମଲାରେ ସମନ ଜାରି କରିଛି । ଆଜି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ଇଡି ତାଙ୍କୁ ଏପ୍ରିଲ ୮ରେ ହାଜର ହେବାକୁ ସମନ ଜାରି କରିଥିଲା । କିନ୍ତୁ ସେ ହାଜର ହୋଇ ପାରି ନ ଥିଲେ । କିନ୍ତୁ ଆଜି ସେ ଇଡି ଅଫିସରେ ପହଞ୍ଚି ଯାଇଛନ୍ତି । ବଡ କଥା ସେ ଖାଲି ପାଦରେ ହିଁ ଇଡି ସାମ୍ନାରେ ହାଜର ହୋଇଛନ୍ତି ।
ଇଡି ସମନକୁ ନେଇ ରବର୍ଟ ଭଦ୍ରା କହିଛନ୍ତି, ଏହି ଲୋକେ ମୋତେ ସର୍ବଦ ଦବାଇବାକୁ ଉଦ୍ୟମ କରିଛନ୍ତି । ଯେବେ ବି ମୁଁ ଲୋକଙ୍କ ପାଇଁ ସ୍ୱର ଉଠାଇଛ. ଏହି ଲୋକେ ମୋତେ ରୋକିବାକୁ ଉଦ୍ୟମ କରିଛନ୍ତି । ମୋତେ କିଛି ଲୁଚାଇବାର ଆବଶ୍ୟକତା ନାହିଁ । ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ ଏବଂ ଆଗକୁ ମଧ୍ୟ ଦେବି । ଯେଉଁ ଜମି ଜାଲିଆତି ମାମଲାରେ ମୋତେ ସମନ ଜାରି କରାଯାଇଛି, ସେହି କେସରେ ଇଡି ପୂରା ଛାନବିନ କରି ସାରିଛି । ମାତ୍ର କିଛି ପାଇଲା ନାହିଁ ଏବଂ ଆଗକୁ ମଧ୍ୟ କିଛି ମିଳିବ ନାହିଁ ।
ସୂଚନାଯୋଗ୍ୟ,ହରିୟାଣାର ଶିକୋହପୁରରେ ଜମି ଡିଲ୍ ଓ ମନି ଲଣ୍ଡ୍ରିଂ ସଂପର୍କିତ ମାମଲାର ତଦନ୍ତ ପାଇଁ ଇଡି ରବର୍ଟ ଭଦ୍ରାଙ୍କୁ ଏହି ସମନ ଜାରି କରିଛି । ଇଡି ଭଦ୍ରାଙ୍କ କମ୍ପାନି ସ୍କାଇଲାଇଟ ହସ୍ପିଟାଲିଟିରେ ହୋଇଥିବା ଆର୍ଥିକ ନେଣ ଦେଣର ତଦନ୍ତ କରୁଛି ।
ଇଡି ଅନୁଯାୟୀ, ରବର୍ଟ ଭଦ୍ରାଙ୍କ କମ୍ପାନି ୨୦୦୮ ଫେବୃଆରୀରେ ଓଙ୍କାରେଶ୍ୱର ପ୍ରପର୍ଟିଜ ନାମକ କମ୍ପାନିଠୁ ଗୁଡଗାଓଁର ଶିକୋହପୁର ଅଞ୍ଚଳରେ ୩.୫ ଏକରର ଜମିକୁ ୭.୫ କୋଟି ଟଙ୍କାରେ କିଣିଥିଲେ । କିଛି ସମୟ ପରେ ଭଦ୍ରାଙ୍କ କମ୍ପାନି ଏହି ଜମିକୁ ଡିଏଲଏଫ ନାମକ ବଡ ରିୟଲ ଇଷ୍ଟେଟ କମ୍ପାନିକୁ ୫୮ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଇଡିର ସନ୍ଦେହ ଏହି ଡିଲ୍ ମନି ଲଣ୍ଡ୍ରିଂ ଅର୍ଥାତ କଳା ଧନକୁ ଧଳା କରିବା ଉଦ୍ଦେଶ୍ୟରେ ଏମିତି କରାଯାଇଛି । ଏଥିପାଇଁ ଏଜେନ୍ସି ଏହି ଜମି ଡିଲ୍ ସଂପର୍କିତ ମାମଲାରେ କେତେ ଆର୍ଥିକ ନେଣଦେଣ ହୋଇଛି ତାହାର ତଦନ୍ତ ଚଳାଇଛି ।