ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବହୁଜନ ସମାଜପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କ ଝିଆରୀ ଘରୋଇ ହିଂସାର ଶୀକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯୌତୁକରେ ଶ୍ୱଶୁର ଘର ଲୋକ ଦଳୀୟ ଟିକେଟ୍, ୫୦ ଲକ୍ଷ ଟଙ୍କା ଏବଂ ଫ୍ଲାଟ୍ ମାଗୁଥିବା ସେ କହିଛନ୍ତି । ଏ ନେଇ ସେ ସ୍ୱାମୀ ବିଶାଲ ସିଂହଙ୍କ ସମେତ ୭ ଜଣଙ୍କ ନାଁରେ ଥାନା ଏତଲା ଦେଇଛନ୍ତି ।
୨୦୨୩, ନଭେମ୍ବର ୯ ତାରିଖରେ, ବିଏସପି ପ୍ରମୁଖ ମାୟାବତୀଙ୍କ ଝିଆରୀ ହାପୁଡ଼ ପୌର ପାଳିକା ପରିଷଦର ଅଧ୍ୟକ୍ଷା ପୁଷ୍ପା ଦେବୀଙ୍କ ପୁଅ ବିଶାଲକୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେମାନେ ବିଏସପିରୁ ଟିକେଟ୍, ୫୦ ଲକ୍ଷ ନଗଦ ଟଙ୍କା ଏବଂ ଗାଜିଆବାଦରେ ଏକ ଫ୍ଲାଟ୍ ଆଣିବାକୁ ତାଙ୍କ ଉପରେ ଚାପ ପକାଇଥିଲେ । ଶ୍ୱଶୁର ଘର ଲୋକ ମାୟାବତୀଙ୍କ ଝିଆରୀ ଉପରେ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେବା ଆରମ୍ଭ କରିଦେଇଥିଲେ ବୋଲି ତାଙ୍କ ଓକିଲ ରାଜୀବ ଶର୍ମା କହିଛନ୍ତି ।
ସେହିପରି ବିଶାଲ ବଡି ବିଲ୍ଡିଂ ପାଇଁ ଷ୍ଟେରୋୟଡ୍ ନେଉଛନ୍ତି । ଯେଉଁଥିପାଇଁ ସେ ଏକ ସୁସ୍ଥ ବୈବାହିକ ସମ୍ପର୍କ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ଅଟନ୍ତି । ତାଙ୍କ ସ୍ତ୍ରୀ ଏହି ଅଭିଯୋଗ ଆଣିବାରୁ ତାଙ୍କୁ ଚୁପ ରହିବାକୁ ବାରମ୍ବାର ଚାପ ପ୍ରୟୋଗ କରାଯାଉଥିଲା । ଦିଅର ଦେବେନ୍ଦ୍ର ସହିତ ସମ୍ପର୍କ ରଖି ସନ୍ତାନ ଜନ୍ମ କରିବାକୁ ଶାଶୁ ଏବଂ ନଣନ୍ଦ କହୁଥିଲେ ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଏମିତିକି ମାୟାବତୀଙ୍କ ଝିଆରୀ ଶ୍ୱଶୁର ଏବଂ ଦିଅରଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି । ଏହି ଘଟଣା ଫେବୃଆରୀ ୧୭ ତାରିଖରେ ଘଟିଛି ବୋଲି ଓକିଲ କହିଛନ୍ତି ।
ଏହି ଘଟଣା ପରେ, ପୀଡ଼ିତା ତାଙ୍କ ମାଆଙ୍କ ଘରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଶ୍ୱଶୁର ଘର ଲୋକଙ୍କ ରାଜନୈତିକ ପ୍ରଭାବ ଯୋଗୁଁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି। ଏପରିକି ମାର୍ଚ୍ଚ ୨୧ ତାରିଖରେ ହାପୁଡ଼ ଏସପିଙ୍କୁ ପୋଷ୍ଟ ମାଧ୍ୟମରେ ଅଭିଯୋଗ ପଠାଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନ ଥିଲା । ଶେଷରେ ମାର୍ଚ୍ଚ ୨୪ ତାରିଖରେ ପୀଡିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ, ଏପ୍ରିଲ ୧୦ ତାରିଖରେ ହାପୁଡ଼ ନଗର କୋତୱାଲିରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା । ଏସଏଚଓ ମୁନିଷ ପ୍ରତାପ ସିଂହ କହିଛନ୍ତି ଯେ ବିଏନଏସ (ଭାରତୀୟ ନ୍ୟାୟିକ ସଂହିତା) ଏବଂ ଯୌତୁକ ନିଷେଧ ଆଇନ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି । ଅଭିଯୁକ୍ତଙ୍କ ନାମ ପୁଷ୍ପା ଦେବୀ, ତାଙ୍କ ସ୍ୱାମୀ ଶ୍ରୀପାଲ ସିଂହ, ପୁଅ ବିଶାଲ ସିଂହ ଏବଂ ପରିବାରର ଅନ୍ୟ ଚାରି ଜଣ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଅନ୍ୟପକ୍ଷରେ ଏହି ମାମଲାରେ, ବହୁଜନ ସମାଜ ପାର୍ଟି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଷ୍ପା ଦେବୀ, ତାଙ୍କ ସ୍ୱାମୀ ଏବଂ ପୁଅଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳର ଜିଲ୍ଲା ସଭାପତି ଏ.କେ. କରାଦମଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଦଳ ବିରୋଧୀ କାର୍ୟ୍ୟକଳାପ ଏବଂ ଅନୁଶାସନହୀନତା ଯୋଗୁଁ ଏମାନଙ୍କୁ ବହିଷ୍କାର କରାଯାଇଛି ।