ଭୁବନେଶ୍ୱର: ବିଜୁ ଜନତା ଦଳ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛନ୍ତି । ସେହିପରି ତାଙ୍କର ସାଂସଦ ସସ୍ମିତ ପାତ୍ର ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛନ୍ତି । ସେ ନିଜର ସ୍ଥିତି ବଞ୍ଚାଇବାକୁ ମେଟ୍ରୋ ପ୍ରକଳ୍ପ ଡ୍ରାମା କରୁଛନ୍ତି । ଆଜି ସସ୍ମିତଙ୍କ ଅସ୍ତିତ୍ୱ ନେଇ ଏଭଳି କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।
ମନୋଜ କହିଛନ୍ତି ଯେ ସସ୍ମିତ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଡ୍ରାମା କରୁଛନ୍ତି । ଗତକାଲି ତାଙ୍କୁ ସଂସଦୀୟ ଦଳ ନେତା ପଦରୁ ବହିଷ୍କୃତ କରାଯାଇଛି । ଆଜି ସେ ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି । ସେ ସରକାରଙ୍କୁ ପ୍ରଶ୍ନ କରିବା ପୂର୍ବରୁ ପ୍ରଥମେ ତାଙ୍କ ଦଳର ନେତା ଅର୍ଥାତ୍ ନବୀନ ପଟ୍ଟନାୟକଙ୍କୁ ପଚାରନ୍ତୁ ମେଟ୍ରୋ ପ୍ରକଳ୍ପ ପୂର୍ବରୁ ଥିଲା କି ନାହିଁ । ନବୀନ ବାବୁ ତାଙ୍କୁ ନିଶ୍ଚିତ ଭାବେ ବୁଝାଇ ଦେବେ । ଏହା କେବଳ ଲୋକଙ୍କ ଭୋଟ୍ ହାତେଇବା ପାଇଁ ନିର୍ବାଚନ ପୂର୍ବରୁ ମେଟ୍ରୋ ପ୍ରକଳ୍ପ ରଖାଯାଇଥିଲା କି ନାହିଁ ସେ ନବୀନ ପଟ୍ଟନାୟକଙ୍କୁ ପଚାରିବା ଦରକାର ।
ଉଲ୍ଲେଖ ଯୋଗ୍ୟ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପକୁ ପୁଣିଥରେ ଆରମ୍ଭ କରିବାକୁ କହିଛନ୍ତି । ରାଜସ୍ଥାନର ଜୟପୁର ମେଟ୍ରୋ ପ୍ରକଳ୍ପ ଅନୁସାରେ ଓଡ଼ିଶାରେ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସରକାରଙ୍କ ସହ ସମନ୍ଵୟ ରକ୍ଷା କରି ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ଆଗେଇ ନିଅନ୍ତୁ । ଏହି ପ୍ରକଳ୍ପ ବନ୍ଦ କରିବା ଦ୍ଵାରା ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବ । ପୁରୀ-ଖୋର୍ଦ୍ଧା-ଭୁବନେଶ୍ୱର-କଟକ କରିଡର ସହିତ ଓଡ଼ିଶା ମେଟ୍ରୋ ଓଡ଼ିଶାବାସୀଙ୍କୁ ସୁରକ୍ଷିତ, ଦ୍ରୁତ ଯାତ୍ରା ସହିତ ଲାଭଦାୟକ କରିବ । ଛାତ୍ର ଏବଂ ଯୁବକମାନଙ୍କୁ ଶିକ୍ଷା ଏବଂ ଚାକିରି ପାଇଁ ଉତ୍ତମ ସୁବିଧା ମିଳିବ ବୋଲି କହିଛନ୍ତି ।