ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ତାହାହିଁ ହୋଇଛି । ଦୀର୍ଘ ୧୧ ଦିନ ହେବ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥାରେ ଜାରି ରହିଛି । ଶୋକ ପ୍ରସ୍ତାବ ପରେ ଗୃହରେ ବିରୋଧୀଙ୍କ ନାରାବାଜି ଯୋଗୁଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ମଧ୍ୟାହ୍ନ ୧୨ ଟା ୯ ମିନିଟ୍ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ଦୁଇ ଦିନର ବିରତି ପରେ ସୋମବାର ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ ୧୦ଟାରେ ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ କରିଥିଲେ । ଏହାପରେ ଗୃହରେ ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବାଚସ୍ପତି ଉତ୍ତର ରଖିବାକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗକୁ ଡାକିଥିଲେ । କିନ୍ତୁ ଶୁକ୍ରବାର ଭଳି କଂଗ୍ରେସ ବିଧାୟକ ସମାନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଥିଲେ । ଗୃହର ମଧ୍ୟ ଭାଗକୁ ଆସି ଘଣ୍ଟ, ଘଣ୍ଟା, ବଂଶୀ ବଜାଇ ନାରାବାଜି କରିଥିଲେ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ କରିବାକୁ ଦାବି କରୁଥିଲେ ।
ଅପରପକ୍ଷରେ ବିଜେଡ଼ି ସଦସ୍ୟମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଅନୁସୁଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗକୁ ସଂଖ୍ୟାନୁପାତରେ ପ୍ରତିବାଦ କରିଥିଲେ । ଉଭୟ ଦଳର ହଙ୍ଗମା କରୁଥିବାବେଳେ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ବାରମ୍ବାର ନିବେଦନ କରିଥିଲେ । କିନ୍ତୁ ବାଚସ୍ପତିଙ୍କ ନିବେଦନକୁ ବିରୋଧୀ ସଦସ୍ୟମାନେ କର୍ଣ୍ଣପାତ ନ କରି ନାରାବାଜି ଜାରି ରଖିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ 12ଟା 9 ଯାଏ ମୁଲତବୀ ଘୋଷଣା କରିଛନ୍ତି ।