ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ହଜରତଗଞ୍ଜରେ ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପଛୁଆ ବର୍ଗର ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ନାନକଦୀନ ଭୂର୍ଜୀଙ୍କ ଦୁଃଖଦ ଦେହାନ୍ତ ହୋଇଛି । ମଙ୍ଗଳବାର ଅପରାହ୍ନରେ ହଜରତଗଞ୍ଜସ୍ଥିତ ନୂତନ ବିଧାୟକ ନିବାସର ୭ ମହଲା ଛାତରୁ ପଡ଼ି ନାନକଦୀନ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ସାରା ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି ।
ନାନକଦୀନ ୭ ମହଲା କୋଠାରୁ ପଡ଼ିଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଖବର ତାଙ୍କ ବାସଭବନରେ ପହଁଚି ମୃତ ଦେହକୁ ଜବତ କରିଛି । ତେବେ ଏହା ଆତ୍ମହତ୍ୟା ନାଁ ଅଘଟଣ ଏ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବାବେଳେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ଆରମ୍ଭ କରିଛି ।
ନାନକଦୀନ ବର୍ତ୍ତମାନ ପଛୁଆ ବର୍ଗ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ଥିଲେ ।ଏହା ସହିତ ସେ ନିଜେ ଗଢ଼ିଥିବା ହିନ୍ଦୁସ୍ଥାନ ପଛୁଆ ବର୍ଗ ମୋର୍ଚ୍ଚାର ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।