କଟକ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ ରଖିଥିବା ମନ୍ତବ୍ୟ ଉପରେ ବିବାଦ ସୃଷ୍ଟି ହୋଇଛି । ତେବେ ଏହା ଏବେ ରାଜନୈତିକ ରୂପ ନେଇଛି । ଏହାରି ମଧ୍ୟରେ ଏହି ବିବାଦକୁ ନେଇ ଥାନାରେ ମାମଲା ପହଁଚିଛି । କିଛି ବିଜେଡ଼ି ନେତା ଏଭିବିପିର ଛାତ୍ର ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ିର ୩ ଜଣ ନେତାଙ୍କ ନାଁରେ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଛି । ବିଜେଡ଼ିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଲେନିନ୍ ମହାନ୍ତି ଓ ଆକ୍ରମ ଖାନ୍ଙ୍କ ନାଁ ମାମଲାରେ ସାମିଲ ଥିବା ଜଣାପଡ଼ିଛି ।
ରେଭେନ୍ସାର ପୁରାତନ ଛାତ୍ରଙ୍କ ପକ୍ଷରୁ ଗତ ବୁଧବାର ରାତିରେ ମଶାଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ଏବିଭିପି ପକ୍ଷରୁ ରେଭେନ୍ସା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ସମୟରେ ବିଜେଡ଼ି ନେତା ଓ ବିଜେପିର ଛାତ୍ର ନେତାଙ୍କ ମଧ୍ୟର ଗଣ୍ଡଗୋଳ ହୋଇଥିଲା । ଏବିଭିପିର ସଦସ୍ୟ ତଥା ଛାତ୍ର ଶ୍ୟାମ ସୁନ୍ଦର ସାହୁଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ସେ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଶ୍ୱ ବିଦ୍ୟାଳୟ ପରିସରରେ ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରିବାରୁ ସେମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଛାତ୍ର ସିଦ୍ଧାର୍ଥ ଷଡ଼ଙ୍ଗୀଙ୍କ ପକ୍ଷରୁ ପାଲଟା ଅଭିଯୋଗ ମଧ୍ୟ କରାଯାଇଛି । ତେବେ ମାଲ ଥାନା ପୋଲିସ ଉଭୟ ପକ୍ଷର ମାମଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।