ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ଧାରଣା ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି । ମହିଳାଙ୍କୁ ବିଭ୍ରାନ୍ତି ନ କରିବାକୁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋମବାର ବିଧାନସଭାରେ ଏ ନେଇ ଚର୍ଚ୍ଚା ଆଲୋଚନା ହୋଇଛି । କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ଵାର୍ଥରେ ଯାହା ଉଚିତ୍ ତାହା ପଦକ୍ଷେପ ନିଆଯିବ ।
ଅନ୍ୟପକ୍ଷରେ ବିଜୁ ଜନତା ଦଳର ଭୋଟ୍ ବ୍ୟାଙ୍କ ସାଜିଥିବା ମିଶନ ଶକ୍ତିକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଯାଇଛି । ମହିଳାଙ୍କୁ ଦିନେ ନ୍ୟାୟ ଦେଇପାରି ନ ଥିବା ବିଜେଡ଼ି ଆଜି ଗୃହ ଅଚଳ କରି ଦେଇଛି । ଆଜି ପୁଣି ଥରେ ଗୃହ ମୁଲତବୀ ରହିଛି । ପ୍ରଶ୍ନକାଳରେ ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ପ୍ରସଙ୍ଗ ଉଠାଇଛନ୍ତି ଦୁଇ ବିରୋଧୀ ଦଳ । ମୋସନ ଜରିଆରେ ଆଲୋଚନା ଦାବିରେ ମୁଖ୍ୟ ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ହଙ୍ଗାମା କରିଛନ୍ତି । ତାଙ୍କ ସହିତ ସ୍ୱର ମିଳାଇଥିଲା କଂଗ୍ରେସ । ବାଚସ୍ପତି ସୁରମା ପାଢ଼ୀ ନିଜର ଆସନରୁ ଉଠି ସମସ୍ତଙ୍କୁ ଶାନ୍ତ ହେବାକୁ କହିଥିଲେ । ମାତ୍ର କେହି ନ ଶୁଣିବାରୁ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି ।
ଗୃହରେ ଏଭଳି ଆଚରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ସେ କହିଛନ୍ତି ମୋହନ ମାଝୀ ସରକାର ସବୁ ପ୍ରକାର ସାହାଯ୍ୟ କରିବା ସରକାର । କିନ୍ତୁ ବିଜେଡ଼ି ସରକାର ତାଙ୍କୁ ଠକିଛି । ଭି କେ ପାଣ୍ଡିଆନ ମିଛ ଚିଠି କରି ତାଙ୍କୁ ଠକିଛନ୍ତି । ସେମାନେ ଯାଇ ନବୀନ ନିବାସ ଯାଆନ୍ତୁ, ପାଣ୍ଡିଆନଙ୍କୁ ଡାକନ୍ତୁ ଆଲୋଚନା କରିଛନ୍ତି । ଏମବିକେ, ସିଆରପି ଏବଂ ବ୍ୟାଙ୍କ୍ ମିତ୍ରଙ୍କୁ ସରକାର ଦରମା ଦେବେ କି ନାହଁ ସେ ନେଇ ବିଚାର କରିବେ । କିନ୍ତୁ ତାଙ୍କର କାର୍ଯ୍ୟକାଳ ସରିବା ପୂର୍ବରୁ ଏପ୍ରିଲରେ ଚୁକ୍ତିର ଅବଧି ଶେଷ ହୋଇଥିଲା । ତେଣୁ ସେମାନେ କାହିଁକି ସରକାର ଥିବାବେଳେ ଏହାକୁ ନବୀକରଣ କଲେ ନାହିଁ ବୋଲି ସେ କହିଛନ୍ତି ।