ଭୁବନେଶ୍ୱର: ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଜନଜାତିକୁ ସଂଖ୍ୟାନୁପାତିକ ଭାବରେ ସଂରକ୍ଷଣ ଦେବା ଦାବିରେ ବିଜୁ ଜନତା ଦଳର ରଣ ହୁଂକାର । ରାଜଧାନୀ ଭୁବନେଶ୍ୱର ରାଜଭବନ ଛକରେ ବିଶାଳ ସମାବେଶ କରିଛି ବିଜେଡ଼ି । ବିଜେପି ସରକାର ପଛୁଆ ବର୍ଗଙ୍କ ଧୋକା ଦେଇଥିବା ବିଜେଡ଼ି ଅଭିଯୋଗ କରିଛନ୍ତି ।
ଆଜିର ବିକ୍ଷୋଭରେ ଦଳର ବହୁ ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ଗଣେଶ୍ୱର ବେହେରା, ସଞ୍ଜୟ ଦାସ ବର୍ମା, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗୀନୀ ଛୁରିଆ ଏବଂ ଅତନୁ ସବ୍ୟସାଚୀ ପ୍ରମୁଖ ଯୋଗ ଦେଇଛନ୍ତି । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ନ ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଜେଡ଼ି ନେତା ରାଜା ସ୍ୱାଇଁ କହିଛନ୍ତି । ଏହା ସହିତ ଡାକ୍ତରୀ ଶିକ୍ଷା ଏବଂ ବୈଷୟିକ ଶିକ୍ଷାରେ ମଧ୍ୟ ସଂରକ୍ଷଣ ଲାଗୁ କରିବାକୁ ବିଜେଡ଼ି ଦାବି କରିଛି । ସମାବେଶରେ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଯୋଗ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୪ ତାରିଖରେ ରାଜ୍ୟ ସରକାର ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷାରେ ଏସଇବିସି ଏସଇବିସିଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ । ଏହା ସହିତ ଅନୁସୂଚିତ ଜାତି ବର୍ଗଙ୍କୁ ୧୬.୨୫%, ଅନୁସୂଚିତ ଜନଜାତିଙ୍କୁ ୨୨.୫୦%, ଭିନ୍ନକ୍ଷମଙ୍କୁ ୫% ଓ ପୂର୍ବତନ ସେନା ପରିବାରଙ୍କୁ ୧ ପ୍ରତିଶତ ସଂରକ୍ଷଣ ଜାରି ରହିବ । ତେବେ ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତରୁ ଆଗକୁ ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ଏସଇବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏସସି/ଏସଟି ବର୍ଗଙ୍କ ପାଇଁ ୩୮.୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଇବିସି ସଂରକ୍ଷଣ ୧୧.୨୫ ପ୍ରତିଶତକୁ ମିଶାଇଲେ ଏହା ୫୦ ପ୍ରତିଶତରେ ସୀମିତ ରହିଛି । ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାରକୁ ୧ ପ୍ରତିଶତ ସଂରକ୍ଷଣ ସମ୍ପୂର୍ଣ୍ଣ ଅଲଗା ରହିଛି । କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ । ଏହା ସୁପ୍ରିମକୋର୍ଟ ଗାଇଡଲାଇନ ଉଲ୍ଲଙ୍ଘନ କରୁ ନାହିଁ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ ।