ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଏକାଠି ହୋଇଯାଇଥିବା ବିଜେଡ଼ି ଓ କଂଗ୍ରେସ ପୁଣି ଥରେ ଶାସକ ଦଳକୁ ପରାଜିତ କରିବାକୁ ରଣନୀତି ଆରମ୍ଭ କରିଛନ୍ତି । ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏକାଠି ହେବେ । ଯଦି ବିଜେଡ଼ି ସୁପ୍ରିମୋ ଏବଂ ହାଇକମାଣ୍ଡ ଚାହିଁବେ ତେବେ ମେଣ୍ଟ ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଏଭଳି ମନ୍ତବ୍ୟ ପରେ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ଭକ୍ତ ଦାସ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଦଳ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟରେ ବିଜେଡି ସୁପ୍ରିମୋ ଚାହିଁଲେ ମେଣ୍ଟ ହୋଇପାରେ । ରାଷ୍ଟ୍ର ହିତ ପାଇଁ ବିଜେଡି ଓ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ ବୋଲି ଭକ୍ତ କହିଛନ୍ତି ।
ପଞ୍ଚାୟତ ନିର୍ବାଚନରେ ଏକାକି ଲଢିବାକୁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଗାମୀ ଦିନରେ କଣ ହେବ,ତାହା ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । ତେବେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିର ରଖି କଂଗ୍ରେସ ନିଜର ସଂଗଠନ ସୁଦୃଢ କରୁଛି ।
ସେପଟେ ପିସିସି ସଭାପତିଙ୍କ ମେଣ୍ଟ ପ୍ରସଙ୍ଗକୁ ପରୋକ୍ଷରେ ସମର୍ଥନ କରିଛନ୍ତି ବିଜେଡ଼ି ନେତା ଦେବୀପ୍ରସାଦ ମିଶ୍ର । ସମ୍ଭାବନା ସବୁ କ୍ଷେତ୍ରରେ ରହିଛି। ପିସିସି ସଭାପତି ଯଦି କହିଛନ୍ତି ତାହାଲେ କିଛି ଅନୁଧ୍ୟାନ କରି କହିଥିବେ। ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦେବୀ ।
ଉଲ୍ଲେଖ ଯୋଗ୍ୟ, ଗତ ରାଜ୍ୟସଭା ନିର୍ବାଚନରେ ଦୀର୍ଘ ବର୍ଷର ଅହିନକୁଳ ସମ୍ପର୍କ ଥିବା ବିଜେଡ଼ି ଓ କଂଗ୍ରେସ ଏକାଠି ହୋଇଯାଇଥିଲେ । ଉଭୟ ମିଳିତ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ଏହାକୁ ନେଇ ଦଳରେ ଅନେକ ବିଧାୟକ ଅସନ୍ତୋଷ ମଧ୍ୟ ଜାହିର କରିଥିଲେ । ବିଜେଡ଼ି ସଦସ୍ୟମାନେ କଂଗ୍ରେସ ସମର୍ଥିତ ପ୍ରାର୍ଥୀକୁ ସହଜରେ ଗ୍ରହଣ କରିପାରିନଥିଲେ । ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଦିଆଗଲା ନାହିଁ କାହିଁକି ବୋଲି କହି କ୍ରସ୍ ଭୋଟିଂ କରିଥିଲେ । ଯେଉଁଥିପାଇଁ ଉଭୟ ଦଳର କିଛି ବିଧାୟକ ନିଲମ୍ବିତ ମଧ୍ୟ ହୋଇଛନ୍ତି ।