ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ଏବେ ବିଜେଡ଼ି ସଦସ୍ୟମାନେ ମାପି ଚୁପି କଥା ହେଉଛନ୍ତି । ସମସ୍ତେ କାରଣ ଜାଣି ନାହାଁନ୍ତି ଏବଂ ସଭାପତିଙ୍କ ନିଷ୍ପତ୍ତି ସର୍ବାଗ୍ରେ ବୋଲି ସଫେଇ ଦେଉଛନ୍ତି । ସନାତନ ମହାକୁଡ଼ ସବୁବେଳେ ବୈଠକରେ ରୁହନ୍ତି ଏବଂ ସହଯୋଗ କରନ୍ତି । ତେଣୁ ତାଙ୍କୁ କାହିଁକି ଦଳରୁ ନିଲମ୍ବିତ କରାଗଲା ଜାଣି ନାହିଁ । ସନାତନଙ୍କ ନିଲମ୍ବନକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ ।
ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅଭିମନ୍ୟୁ ସେଠୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ବିଧାୟକ ସନାତନ ମହାକୁଡ଼ଙ୍କୁ କାହିଁକି ନିଲମ୍ବନ କରାଗଲା ସେ ବିଷୟରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି । ଦଳରେ ଯେତେବେଳେ ଯାହା ବି ବୈଠକ ହୁଏ ସେ ଉପସ୍ଥିତ ରୁହନ୍ତି ଏବଂ ସମସ୍ତ ପ୍ରକାର ସହଯୋଗ କରନ୍ତି । ମାତ୍ର ଦଳର ଗୋଟିଏ ଦୁଇଟି ବୈଠକ ଛାଡ଼ି ବାକି ସବୁ ବୈଠକକୁ ଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ପ୍ରଶଂସା କରନ୍ତି । ଭଲ କାମ କଲେ ସମସ୍ତେ ପ୍ରଶଂସା କରନ୍ତି । ସେଇଟା ଗୋଟେ କାରଣ ହୋଇପାରେ । ତେବେ ତାଙ୍କୁ କାହିଁକି ନିଲମ୍ବନ କରାଗଲା ଜଣାନାହିଁ । କିଛି ରିପୋର୍ଟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅଭିମନ୍ୟୁ । କିଏ ବିଶ୍ୱାସଘାତକତା କରିଛନ୍ତି ତାହା ମଧ୍ୟ ଜଣା ନାହିଁ । ତେବେ ସନାତନଙ୍କ ନିଲମ୍ବନ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।