ନୂଆଦିଲ୍ଲୀ: ବିହାରରେ ଦୁଇଟି ପର୍ଯ୍ୟାୟ ମତଦାନ ସଂପନ୍ନ ପରେ ଏବେ ଭୋଟ ଗଣତି ପାଳି । ସମସ୍ତ ଏକଜିଟ ପୋଲରେ ବିହାରରେ ପୁଣି ଥରେ ଏନଡିଏ ସରକାର ହେଉଥିବା ପୂର୍ବାନୁମାନ କରାଯାଇଛି । ଅଧା ଡଜନରୁ ଅଧିକ ଏକଜିଟ ପୋଲରେ ଏନଡିଏକୁ ବମ୍ପର ସିଟ୍ ମିଳୁଥିବା ଭବିଷ୍ୟତବାଣୀ କରାଯାଇଛି । ଯଦି ସର୍ଭେ ସତ ସାବ୍ୟସ୍ତ ହୁଏ ତେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବଙ୍କୁ ବଡ ଝଟକା ଲାଗିପାରେ । ଏପରିକି ବିହାର ରାଜନୀତିରେ ନିଜ ପାଇଁ ସ୍ଥାନ ଖୋଜୁଥିବା ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋରଙ୍କ ପାଇଁ ମଧ୍ୟ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ ।
ନିର୍ବାଚନୀ ରଣନୈତିକାର ପ୍ରଶାନ୍ତ କିଶୋର ନିଜର ସଠିକ୍ ଭବିଷ୍ୟତବାଣୀ ପାଇଁ ଚର୍ଚ୍ଚିତ । ବିହାର ନିର୍ବାଚନରେ ସେ ନିଜର ରାଜନୈତିକ ଭବିଷ୍ୟତକୁ ବାଜିରେ ଲଗାଇଥିବା କହିଛନ୍ତି । ପିକେ ନାମରେ ଖ୍ୟାତି ଅର୍ଜନ କରିଥିବା ପ୍ରଶାନ୍ତ କିଶୋର କେବେ ଦୃଢତାର ସହ କହି ନାହାନ୍ତି ଯେ, ଜନ ସୁରାଜ ପାର୍ଟି ସରକାର ଗଢିବ । କିନ୍ତୁ ସେ ଦାବି କରିଥିଲେ ଯେ, ଜେଡିୟୁକୁ ୨୫ରୁ ଅଧିକ ସିଟ୍ ମିଳିବ ନାହିଁ । ସେ ଏହା ମଧ୍ୟ କହିଥିଲେ, ଯଦି ନୀତିଶ କୁମାରଙ୍କ ପାର୍ଟିକୁ ୨୫ରୁ ଅଧିକ ସିଟ୍ ମିଳେ ତେବେ ସେ ରାଜନୀତି ଛାଡି ଦେବେ ।
ତେବେ ଅଧିକାଂଶ ଏକଜିଟ ପୋଲର ପୂର୍ବାନୁମାନ ଅନୁଯାୟୀ, ପ୍ରଶାନ୍ତ କିଶୋର ନିଜେ ଲଗାଇଥିବା ସର୍ତ୍ତ ହାରି ପାରନ୍ତି । ଅଧିକାଂଶ ଏକଜିଟ ପୋଲରେ ବିଜେପି-ଜେଡିୟୁ ନେତୃତ୍ୱାଧିନ ଏନଡିଏକୁ ୧୫୦ରୁ ଅଧିକ ସିଟ୍ ମିଳୁଥିବା ଭବିଷ୍ୟତବାଣୀ କରାଯାଇଛି । ଏପରିକି ଜେଡିୟୁ ୫୦ରୁ ଅଧିକ ସିଟ୍ ଜିତିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟତବାଣୀ ଭୁଲ୍ ପ୍ରମାଣିତ ହେବାର ସମ୍ଭାବନା ରହିଛି ।
ପ୍ରଶାନ୍ତ କିଶୋର ଅନେକ ଟିଭି ଓ ଜନସଭାରେ ଜେଡିୟୁକୁ ୨୫ରୁ କମ ସିଟ୍ ମିଳିବ ବୋଲି ଭବିଷ୍ୟତବାଣୀ କରିଥିଲେ । ନ୍ୟୁଜ ୨୪କୁ ଦେଇଥିବା ସାକ୍ଷାତକାରରେ ପିକେ ଦାବି କରିଥିଲେ ଯେ, ଲେଖିକି ନିଅନ୍ତୁ ଏନଡିଏ ପୁନର୍ବାର କ୍ଷମତାକୁ ଆସିବ ନାହିଁ । ନୀତିଶ କୁମାର ନଭେମ୍ବର ପରେ ମୁଖ୍ୟମନ୍ତ୍ରୀ ଆଉ ହୋଇ ପାରିବେ ନାହିଁ । ଜେଡିୟୁ ୨୫ରୁ ଅଧିକ ସିଟ୍ ଜିତି ପାରିବ ନାହିଁ । ଯଦି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଯିବେ ଏବଂ ଜେଡିୟୁ ୨୫ରୁ ଅଧିକ ସିଟ୍ ଜିତେ ତେବେ ସେ ରାଜନୀତି ଛାଡି ଦେବେ । ଏମିତି ଅନେକ ନ୍ୟୁଜ ଚ୍ୟାନେଲରେ ପ୍ରଶାନ୍ତ କିଶୋର ଏମିତି ସର୍ତ୍ତ ରଖିଛନ୍ତି । ତେବେ ଆସନ୍ତାକାଲି ଜଣା ପଡିବ ବିହାରର ରାଜନୀତି କେଉଁ ମୋଡ ନେଉଛି ।
Also read: ଆସନ୍ତାକାଲି ନୂଆପଡ଼ା ଫଳାଫଳ, ସକାଳ ୮ରୁ ଗଣତି ଆରମ୍ଭ ହେବ