ଆଗକୁ ରାଜ୍ଯରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ସରଗରମ ରାଜ୍ଯ ରାଜନୀତି। ରାଜ୍ୟରେ ମେଣ୍ଟ ସରକାରଙ୍କୁ ନେଇ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେପି ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି।
ଏହି କ୍ରମରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀ ବିଜେପି ମୁଖ୍ଯ କାର୍ଯ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଓଡ଼ିଶାର ରାଜନୈତିକ ସ୍ଥିତି ଏବଂ ରଣକୌଶଳକୁ ନେଇ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଏହି ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ ।ରବିବାର ଦଳ ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାକୁ ଥିବା ବେଳେ ସେଥିରେ କିଛି ଓଡ଼ିଶା ନେତାଙ୍କ ନାମ ରହିପାରେ।
ଜାତୀୟ ଖବର ସରବରାହ ସଂସ୍ଥା ରିପୋର୍ଟ ଅନୁଯାୟୀ, ବିଜେପି ସିଇସି ବୈଠକରେ ଓଡ଼ିଶାର ସମସ୍ତ ୨୧ ଲୋକ ସଭା ଆସନ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଲୋକ ସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକ ସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକ ସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହୋଇଛି । ଏଥିସହ ରାଜ୍ୟର ୨ ଏମ୍ପିଙ୍କ ନାମ ଏଥର ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିପାରେ ବୋଲି କୁହାଯାଇଛି। ତେବେ ଆଉ କିଛି ଘଣ୍ଟାପରେ ଜଣାପଡିବ ଦଳ କାହା ନାମରେ ମୋହର ମାରିବ।