୧୮ ତାରିଖରୁ ଆରମ୍ଭ ହେବ ପାର୍ଲିଆମେଣ୍ଟର ସ୍ବତନ୍ତ୍ର ଅଧିବେଶନ। ଏଥିଲାଗି ଏଜେଣ୍ଡା ଜାରି କରିଛନ୍ତି କେନ୍ଦ୍ର ସରକାର । ପାର୍ଲିଆମେଣ୍ଟର ଏହି ପାଞ୍ଚ ଦିନିଆ ଅଧିବେଶନର ପ୍ରଥମ ଦିନରେ ସମ୍ବିଧାନ ସଭା ଠାରୁ ଆରମ୍ଭ କରି ୭୫ ବର୍ଷର ସଂସଦର ଯାତ୍ରା ଉପରେ ସରକାର ଏକ ବିଶେଷ ଆଲୋଚନା ତାଲିକାଭୁକ୍ତ କରିଛନ୍ତି। ଅଧିବେଶନ ସମୟରେ ସରକାର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ବିଚାର ବିମର୍ଶ ପାଇଁ ତାଲିକାଭୁକ୍ତ କରିଛନ୍ତି। ଗତ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା।ଏହି ଅବସରରେ ସମ୍ବିଧାନ ସଭାଠୁ ଆରମ୍ଭ କରି ଆଜି ଯାଏ ଚାଲିଥିବା ସଂସଦୀୟ ଯାତ୍ରା ଉପରେ ଆଲୋଚନା କରାଯିବ । ଅଧିବେଶନ ସମୟରେ ଉଭୟ ଗୃହରେ ୪ଟି ବିଲ୍ ମଧ୍ୟ ଉପସ୍ଥାପିତ ହେବ । ଏହା ମଧ୍ୟରେ ରହିଛି 'ଆଡଭୋକେଟ୍ ସଂସୋଧନ ବିଲ୍ ୨୦୨୩', 'ଦ ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ପିରିଓଡିକାଲ୍ସ ବିଲ୍ ୨୦୨୩' । ଏହି ଦୁଇଟି ବିଲ୍ ରାଜ୍ୟସଭାରେ ପାସ୍ ହୋଇସାରିଥିବା ବେଳେ ଲୋକସଭାରେ ମଧ୍ୟ ଆଗତ ହୋଇଛି । ଏବେ ଏହା ଉପରେ ଆଲୋଚନା କରାଯାଇ ଏହାକୁ ପାସ୍ କରାଯିବ ।
ସେହିପରି ଆଉ ୨ଟି ବିଲ୍ ପୋଷ୍ଟ ଅଫିସ ବିଲ୍ ୨୦୨୩ ଓ ଦି ଚିଫ୍ ଇଲେକ୍ସନ କମିଶନର ଆଣ୍ଡ ଅଦର ଇଲେକ୍ସନ କମିଶନରର୍ସ ବିଲ୍ ୨୦୨୩ ମଧ୍ୟ ଆଗତ ହେବ । ଏନେଇ ବିରୋଧି ବାରମ୍ବାର ପ୍ରଶ୍ନ ଉଠାଇବା ସହ ଏଜେଣ୍ଡା ଜାରି ପାଇଁ ଦାବି କରିଥିଲେ । ତେବେ ସପ୍ତାହେ ପୂର୍ବରୁ ଏନେଇ ଏଜେଣ୍ଡା ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ବିଶେଷ ଅଧିବେଶନ ପୁରୁଣା ବିଲଡିଂରେ ଦିନକ ପାଇଁ ଚାଲିବ। ଏହାପରେ ସେପ୍ଟେମ୍ବର ୧୯ ଗଣେଶ ପୂଜାରୁ ନୂଆ ବିଲଡିଂରେ ସାଂସଦମାନେ ବସିବେ। ନୂଆ ବିଲଡିଂରେ ହିଁ ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଚାଲିବ। ଏହି ସ୍ବତନ୍ତ୍ର ଅଧିବେଶନରେ ସଂସଦର କର୍ମକର୍ତ୍ତାଙ୍କୁ ନୂଆ ୟୁନିଫର୍ମରେ ଦେଖିବାକୁ ମିଳିବ । ଚାମ୍ବର ସେବକ, ଅଧିକାରୀ, ସୁରକ୍ଷା କର୍ମୀ, ଡ୍ରାଇଭର ଏବଂ ମାର୍ଶଲ ସମସ୍ତେ ନୂତନ ୟୁନିଫର୍ମ ସହ ଦେଖାଯିବେ। ଖାକି ଟ୍ରାଉଜର, କ୍ରିମ୍ ରଙ୍ଗର ଜ୍ୟାକେଟ୍, ଗୋଲାପୀ ଲୋଟସ୍ ମୋଟିଫ୍ ସହିତ କ୍ରିମ୍ ସାର୍ଟ, ମହିଳାମାନଙ୍କ ପାଇଁ ଜ୍ୟାକେଟ୍ ସହିତ ଉଜ୍ଜ୍ୱଳ ରଙ୍ଗର ଶାଢୀ ଏବଂ ନୂତନ ଡ୍ରେସ୍ କୋଡ୍ ରେ ମାର୍ଶଲଙ୍କ ପାଇଁ ପଗଡି । ସେହିପରି ସଂସଦ ଭବନରେ ସୁରକ୍ଷା କର୍ମୀମାନେ ସଫାରି ସୁଟ୍ ବଦଳରେ ବର୍ତ୍ତମାନ ସାମରିକ କର୍ମଚାରୀ ପିନ୍ଧିଥିବା ପରି କାମୁଫ୍ଲେଜ୍ ପ୍ୟାଟର୍ ପୋଷାକ ପିନ୍ଧିବେ ।