ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପଦ ନେଇ ଟଣାଓଟରା ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକତାର ପ୍ରଦର୍ଶନ କରି ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବାସଭବନରେ ଭୋଜନ କରିଛନ୍ତି । କ୍ଷମତାକୁ ନେଇ ଜାରି ବାଦ ବିବାଦ ମଧ୍ୟରେ କିଛି ଦିନ ପୂର୍ବରୁ ମଧ୍ୟ ଶିବକୁମାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଘରକୁ ଯାଇ ଭୋଜନ କରିଥିଲେ । ଆଜିର ଭୋଜନ ପରେ ଦୁଇ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଶିବକୁମାର ଓ ସିଦ୍ଧରମୈୟା କହିଛନ୍ତି, ଯଦି କଂଗ୍ରେସ ହାଇକମାଣ୍ଡ ସେମାନଙ୍କୁ ଡକାନ୍ତି ତେବେ ଦିଲ୍ଲୀ ଯିବାକୁ ପ୍ରସ୍ତୁତ । ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ବନ୍ଧା ଥିବା ଉଭୟ କହିଛନ୍ତି ।
ସିଦ୍ଧରମୈୟା କହିଛନ୍ତି, ମୁଁ ଏବଂ ଶିବକୁମାର ଏକାଠି ଭୋଜନ କଲୁ । ପାର୍ଟି ମାମଲା ଓ ଡିସେମ୍ବର ୮ରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନର ରଣନୀତି ଉପରେ ଆଲୋଚନା କଲୁ । ଆମେ ବିଧାନସଭାରେ ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ । ଏହା ସହ ଆମେ ପାର୍ଟି ହାଇକମାଣ୍ଡଙ୍କ ନିଷ୍ପତ୍ତିର ପାଳନ ବି କରିବୁ । ଆମେ ସର୍ବଦା ଏକଜୁଟ ଅଛୁ । ଆମେ ଦୁଇ ଭାଇ ଏକାଠି ମିଶି କାମ କରୁଛୁ । ଯଦି ହାଇକମାଣ୍ଡ ଡକାଇବେ ତେବେ ନିଶ୍ଚୟ ଭେଟିବାକୁ ଦିଲ୍ଲୀ ଯିବୁ ।
ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବାସଭବନକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଏଠାରେ ଶିବକୁମାରଙ୍କ ଭାଇ ତଥା ପୂର୍ବତନ କଂଗ୍ରେସ ସାଂସଦ ଡିକେ ସୁରେଶ ତାଙ୍କର ସ୍ୱାଗତ କରିଥିଲେ । ଦୁଇ ନେତାଙ୍କ ଏହି ଭେଟଘାଟକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ବୋଲି କୁହାଯାଉଛି । ସୋମବାର ଶିବକୁମାର କହିଥିଲେ ଯେ, ସେ ଓ ମୁଖ୍ୟମନ୍ତ୍ରୀ ଦୁହେଁ ଗୋଟିଏ ଟିମ୍ ଭାବେ କାମ କରୁଛୁ । ସିଦ୍ଧରମୈୟାଙ୍କୁ ସେ ଭୋଜନ ପାଇଁ ଆମନ୍ତ୍ରିତ କରିଛି, ଯଦ୍ୱାରା କର୍ଣ୍ଣାଟକବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଆଲୋଚନା କରି ପାରିବୁ ।
Also read: ନୀତିନ ଗଡକରୀଙ୍କ ଡ୍ରିମ ପ୍ରୋଜେକ୍ଟକୁ ଝଟକା, କାହିଁକି ଅଟକିଲା ସାଟେଲାଇଟରୁ ଟୋଲ୍ ଆଦାୟ ?