ଭୋପାଳ: ମଧ୍ୟପ୍ରଦେଶରେ ମାତ୍ର ୬ ମାସ ମଧ୍ୟରେ କଂଗ୍ରେକୁ ଦୁଇଥର ଝଟକା ଲାଗିଛି। ବର୍ତ୍ତମାନ ଏଠାରେ କଂଗ୍ରେସର ସ୍ଥିତି ଫୁଟବଲ୍ ଭଳି ହୋଇଛି। ବିଧାନସଭା ନିର୍ବାଚନ-୨୦୨୩ରେ ଶୋଚନୀୟ ପରାଜୟ ପରେ ଏବେ ପୁଣି ଲୋକସଭା ନିର୍ବାଚନ-୨୦୨୪ରେ ପରାସ୍ତ ହେବାକୁ ପଡ଼ିଛି। ଲୋକସଭା ନିର୍ବାଚନରେ ଏଠାରୁ କଂଗ୍ରେସ ମୂଳପୋଚ୍ଛ ହୋଇଯାଇଛି। କଂଗ୍ରେସ ଅନ୍ୟ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିବା ବେଳେ ମଧ୍ୟପ୍ରଦେଶରେ ଖାତା ଖୋଲିନାହିଁ।
ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଦିଗବିଜୟ ସିଂହ ଓ ରାଜ୍ୟ ସଭାପତି ଜୀତୁ ପଟୱାରୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏମାନଙ୍କର ନେତୃତ୍ୱରେ କଂଗ୍ରେସକୁ ପରାଜିତ ହେବାକୁ ପଡ଼ିଛି ବୋଲି ଆଲୋଚନା ହେଉଛି। ହାଇକମାଣ୍ଡ ଜୀତୁ ପଟୱାରୀଙ୍କୁ ରାଜ୍ୟ ସଭାପତି କରାଯିବା ପରେ ତିନି ଜଣ ବିଧାୟକଙ୍କ ସତେ ଅନ୍ୟ ବରିଷ୍ଠ ନେତାମାନେ ବିଜେପିରେ ସାମିଲ ହୋଇଛନ୍ତି। ଏବେ ବରିଷ୍ଠ ନେତାମାନେ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପାଇଁ ଜୀତୁ ପଟୱାରୀ, କମଲନାଥ ଓ ଦିଗବିଜୟ ସିଂହଙ୍କୁ ଦାୟୀ କରୁଛନ୍ତି। ଅନ୍ୟପଟରେ କଂଗ୍ରେସ ନେତାମାନେ ପରାଜୟର କାରଣ ଖୋଜୁଛନ୍ତି।
ଚୁରହଟରୁ ବିଧାୟକ ଏବଂ ପୂର୍ବତନ ବିଧାନସଭା ବାଚସ୍ପତି ଅଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି, ଜୀତୁ ପଟୱାରୀଙ୍କ କାର୍ଯ୍ୟକାଳର ସମୀକ୍ଷା ହେବା ଦରକାର। ତାଙ୍କର କାର୍ଯ୍ୟକାଳରେ କାହିଁକି ବହୁତ ନେତା ଦଳ ଛାଡ଼ିଲେ? କଂଗ୍ରେସର ପୂର୍ବତନ ରାଜ୍ୟ ଉପସଭାପତି ଏବଂ ପଛୁଆ ବର୍ଗର ସଭାପତି ଦାମୋଦର ଯାଦବ ମଧ୍ୟ ଜୀତୁ ପଟୱାରୀଙ୍କ ଉପରେ ପରାଜୟର ଦୋଷ ଲଦୁଛନ୍ତି।
ଲୋକସଭା ନିର୍ବାଚନରେ ଛିନ୍ଦୱାଡାରେ ପୁଅ ନକୁଳ ନାଥଙ୍କ ପରାଜୟରେ ଆହତ କମଲ ନାଥ ଗଣମାଧ୍ୟମକୁ କହିଛନ୍ତି, ପ୍ରଶ୍ନ କେବଳ ଛିନ୍ଦୱାଡାର ନାହିଁ। ବରଂ ପୁରା ରାଜ୍ୟର ପରାଜୟକୁ ନେଇ। ଏହାର କାରଣ ଜାଣିବା ପାଇଁ ସମୀକ୍ଷା ହେବ। ସେ କହିଛନ୍ତି, ରାଜ୍ୟରେ ହାରିବାର କାରଣ କେବଳ ପ୍ରାର୍ଥୀ ନୁହେଁ। ବରଂ ଅନ୍ୟ କିଛି କାରଣ ମଧ୍ୟ ରହିଛି । ଅନ୍ୟପଟରେ ଜୀତୁ ପଟୱାରୀ କହିଛନ୍ତି, ସମୀକ୍ଷା କରି ହାରିବାର କାରଣ ଜାଣିବୁ । ମୋର କାର୍ଯ୍ୟ ଶୈଳୀ ଉପରେ କୌଣସି ନେତା ଅଭିଯୋଗ ଆଣି ନାହାନ୍ତି। ଦୁର୍ବ୍ୟବହାର ନେଇ ଅଭିଯୋଗ କରିନାହାନ୍ତି। ମୋତେ ୭୨ ଦିନର ସମୟ ମିଳିଛି । ଏହି ବିଜୟ ଲାଡଡୀ ଯୋଜନାର ପ୍ରଭାବ ହୋଇଥାଇପାରେ।