ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗକୁ ନେଇ କଂଗ୍ରେସ ପାର୍ଟି ଲଗାତାର ଗୃହରେ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହା ମଧ୍ୟରେ ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଆପଣମାନେ ସବୁ ଦେଖୁଛନ୍ତି ସଂସଦରେ କଣ ଘଟୁଛି । ଦେଶର ଅର୍ଥବ୍ୟବସ୍ଥାକୁ ଖରାପ କରିବାକୁ ପ୍ରୟାସ କରାଯାଉଛି । ଭାରତର ସେୟାର ମାର୍କେଟକୁ ଟାର୍ଗେଟ୍ କରାଯାଉଛି ।
ସମ୍ବିତ ଏହା ମଧ୍ୟ କହିଛନ୍ତି, ଭାରତର ଉଦ୍ୟୋଗପତିଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଇ ଭାରତର ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । କିଛି ଗୋଷ୍ଠୀ ଭାରତକୁ ଭାଙ୍ଗିବାରେ ଲାଗିଛନ୍ତି । ରାହୁଲ ଗାନ୍ଧୀ ସଂସଦର ସଦସ୍ୟ । ହେଲେ ସେ ଜଣେ ଦେଶଦ୍ରୋହୀ । ଜର୍ଜ ସୋରୋସ ଓପେନ ସୋସାଇଟିକୁ ଫଣ୍ଡିଂ କରୁଛି । ଏହା ଦେଶ ବିରୋଧରେ ପ୍ରୋପାଗାଣ୍ଡା ପ୍ରଚାର କରୁଛନ୍ତି । ଏହି ପ୍ରସଙ୍ଗ ବହୁତ ଗମ୍ଭୀର । ଏହା ଦେଶର ଏକତା ଓ ସାର୍ବଭୌମତ୍ୱର ପ୍ରସଙ୍ଗ । କିଛି ଗୋଷ୍ଠୀ ଭାରତକୁ ବିଭାଜନ କରିବାକୁ ଚାହୁଁଛନ୍ତି । ଆଉ ରାହୁଲ ଗାନ୍ଧୀ ମଧ୍ୟ ଜର୍ଜ ସୋରୋସେଙ୍କୁ ଭେଟିଛନ୍ତି ।
ଏହା ପୂର୍ବରୁ ବିରୋଧୀ ସାଂସଦ ଆଦାନୀ ପ୍ରସଙ୍ଗରେ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ କଂଗ୍ରେସ ସାଂସଦମାନେ ମୋଦୀ ଆଦାନୀ ଏକ ନାରା ଲେଖା ହୋଇଥିବା ଜ୍ୟାକେଟ୍ ପିନ୍ଧିଥିଲେ । ବିରୋଧୀ ଦଳ ଆଦାନୀଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରିଛନ୍ତି ।
କଂଗ୍ରେସ ସାଂସଦ ତଥା ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଏହି ଦେଶରେ ସବୁଠୁ ବଡ ଦୁର୍ନୀତି ହେଉଛି । ସରକାର ଏହା ଉପରେ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ଆଦାନୀଙ୍କ ନାଁ ଶୁଣିଲେ ଆଲୋଚନା ପାଇଁ ମୁହଁ ଫେରାଇ ନେଉଛନ୍ତି । ଏଥିରୁ ସରକାରଙ୍କ ଅସଲ ଉଦ୍ଦେଶ୍ୟ ଜଣା ପଡୁଥିବା ସେ କହିଛନ୍ତି ।