ନୂଆଦିଲ୍ଲୀ: ନବୀନଙ୍କୁ ନାଲି ଆଖି ଦେଖାଇଲେ ଦଳର ନେତା । ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କୁ ତାଗିଦ ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ଦେଇଛନ୍ତି ବିସ୍ଫୋରକ ବୟାନ । ଏଥିସହ ପାଣ୍ଡିଆନଙ୍କୁ କାହିଁକି ନବୀନ ବାବୁ ଛାଡି ପାରିବେନି ତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଦଳରେ ନାଲି ଆଖି କେହି କାହାରକୁ ଦେଖାଇ ପାରିବେ ନାହିଁ । ଆମେ କେତେ ବେଳେ କେଉଁଠି ବସିବୁ ତାହା ଆମର ବ୍ୟକ୍ତିଗତ କଥା । ଆମେ ହୋଟେଲରେ ବସି ପାରିବୁନି କହିବା ଠିକ୍ ନୁହେଁ । ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି । ଆମେ ପାର୍ଟି ବିରୋଧରେ ଯାଇ କି ବୈଠକ କରୁନୁ । କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନ ଯିବୁ ।
ପାଣ୍ଡିଆନଙ୍କୁ ବିଜେଡି ସୁପ୍ରିମୋ କ୍ଲିନଚିଟ୍ ଦେବା ପ୍ରସଙ୍ଗରେ ପ୍ରଫୁଲ୍ଲ କହିଛନ୍ତି, ପାଣ୍ଡିଆନଙ୍କୁ ନେଇ ନବୀନ ବାବୁ ସାମ୍ନାକୁ ଆସୁଛନ୍ତି । ନବୀନ ବାବୁଙ୍କୁ ସାମ୍ନାକୁ ଆସିବା ଦରକାର ନାହିଁ । ନିଜେ ପାଣ୍ଡିଆନ ଆଗକୁ ଆସି ସ୍ପଷ୍ଟ କରିବା ଦରକାର । ସେ କହି ଦିଅନ୍ତୁ ବିଜେଡି ଦଳରେ ମୁଁ ଆଉ ନାହିଁ । ମୁଁ ପାର୍ଟି କାର୍ଯ୍ୟରେ କୌଣସି ହସ୍ତକ୍ଷେପ କରୁନି । ପାଣ୍ଡିଆନ ଫ୍ୟାକ୍ଟରକୁ କେହି ଗ୍ରହଣ କରୁ ନାହାନ୍ତି । ମୁଁ କିଛି ହସ୍ତକ୍ଷେପ କରୁନି ବୋଲି ପାଣ୍ଡିଆନ କୁହନ୍ତୁ । ପାଣ୍ଡିଆନ ଦଳରେ ନାହାନ୍ତି ବୋଲି କହୁଛନ୍ତି । ନବୀନ ବାବୁ ତାଙ୍କୁ କାହିଁକି ଛାଡି ପାରୁ ନାହାନ୍ତି । ଓଡିଶା ଲୋକ କଣ ଚାହୁଁଛନ୍ତି ତାହା ବୁଝିବା ଦରକାର ।
ୱାକଫ ନେଇ ବିଜେଡିରେ ଦେଖା ଦେଇଥିବା ଦ୍ୱିମତକୁ ନେଇ ପ୍ରଫୁଲ୍ଲ କହିଛନ୍ତି ଯେ, ବିଜେଡି ଏକ ଧର୍ମନିରପେକ୍ଷ ଦଳ । ପାର୍ଟି ନିଷ୍ପତ୍ତି ନେଇଥିଲେ ବିଧେକକୁ ବିରୋଧ କରିବ । କିନ୍ତୁ ଯାହା ଘଟିଗଲା, ତାହା ଠିକ୍ ନୁହେଁ କି ଗ୍ରହଣୀୟ ବି ନୁହେଁ ।
ସୂଚନାଯୋଗ୍ୟ, ୱାକଫ ବିଧେୟକକୁ ନେଇ ବିଜେଡିରେ ଝଡ ସୃଷ୍ଟି ହେବା ପରେ ଶେଷରେ ଏପ୍ରିଲ ୧୦ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିରବତା ଭାଙ୍ଗିଥିଲେ । ସେ ଗଣମାଧ୍ୟମ ସାମ୍ନାକୁ ଆସି କେଉଁ କାରଣରୁ ଦଳ ଶେଷ ମୁହୂର୍ତ୍ତରେ ୱାକଫ ବିଧେୟକରେ ନିଜର ମତ ବଦଳାଇଲା ସେହି ସଂପର୍କରେ ପଦୁଟିଏ ନ କହି ତାଙ୍କର ପୂର୍ବତନ ବ୍ୟକ୍ତିଗତ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ତାଗିଦ କରିଥିଲେ ନବୀନ । ଏପରିକି ନେତାଙ୍କ ହୋଟେଲରେ ବୈଠକକୁ ନା ପସନ୍ଦ କରିଥିଲେ । ଏପରିକି ବୈଠକ କରିବାର ଅଛି ହେଲେ ଶଙ୍ଖଭବନରେ କର ବୋଲି କହିଥିଲେ ।