ବିଜେଡି ଚକ୍ରାନ୍ତରେ ଫସିଛନ୍ତି ଅଶୋକ, ତାଙ୍କର ଦଳ ଛାଡ଼ିବା ଆମକୁ କିଛି ଫରକ ପଡ଼ିବନି
Khabar Odisha:Politics-odisha-Ashok-panigrahi-quit-from-bjp-not-affected-us-says-pradeep-purohit
ଭୁବନେଶ୍ଵର,ଅକ୍ଟୋବର୧୨(ଖବର ଓଡ଼ିଶା):

 ବିଜେପୁର ନିର୍ବାଚନକୁ ଆଉ କେଇଟି ଦିନ ବାକି ଥିବା ବେଳେ ବିଜେପିକୁ ଝଟକା ଲାଗିଛି। ଦିନେ ବିଜେପୁର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳର ହାତ ଛାଡ଼ି ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ପୁଣି ଥରେ ସେହି ନିର୍ବାଚନ ପୂର୍ବରୁ ବିଜେପିରୁ ବିଦାୟ ନେଇଛନ୍ତି । ଚଳିତ ବିଜେପୁର ଉପ ନିର୍ବାଚନରେ ପ୍ରାର୍ଥୀତ୍ୱ ନ ମିଳିବା କାରଣରୁ ଦଳ ବିରୋଧରେ ଅଣଦେଖାର ଅଭିଯୋଗ ଆଣିଥିବା ଅଶୋକ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ଅଶୋକଙ୍କ ଇସ୍ତଫା ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ରଖିଛନ୍ତି। ବିଜେଡି ଚକ୍ରାନ୍ତରେ ଅଶୋକ ଫସିଥିବା ସେ କହିଛନ୍ତି।

ପ୍ରଦୀପ କହିଛନ୍ତି ଯେ, ତାଙ୍କ ଉପରେ ଭରସା କରି ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ବିଜେଡିର ଚକ୍ରାନ୍ତରେ ଫସିଛନ୍ତି।  ତାଙ୍କ ଉପରେ ଦଳ ଭରସା କରିଥିଲା। ତାଙ୍କ ପାଇଁ ବହୁ ପୁରୁଖା କର୍ମୀ ଅସନ୍ତୋଷରେ ଦଳ ଛାଡ଼ିଥିଲେ। ଏ ସବୁକୁ ଅଶୋକ ବୁଝି ପାରୁ ନାହାନ୍ତି। ଏବେ ଭୁବନେଶ୍ଵର ଯାଇ ବିଜେଡି ନେତାଙ୍କ ସହ ଆଲୋଚନା କରିଛନ୍ତି। 

ପୁରୋହିତ କହିଛନ୍ତି ଯେ, ବିଜେଡି ନେତାଙ୍କ ଚକ୍ରାନ୍ତରେ ଫସି ସେ ବିଜେପରୁ ଇସ୍ତଫା ଦେଇଛନ୍ତି। ତାଙ୍କରି ଇସ୍ତଫା ଦଳରେ କୌଣସି ପ୍ରଭାବ ପକାଇବ ନାହିଁ। ଓଲଟା ତାଙ୍କ ପାଇଁ ଦଳ ଛାଡ଼ିଥିବା  ବହୁ ପୁରୁଖା ନେତା ଓ କର୍ମୀ ପୁଣି ଥରେ ଦଳକୁ ଫେରିବେ। ଏଥିରେ ଦଳର ସାଂଗଠନିକ ସ୍ଥିତି ଆହୁରି ମଜବୁତ ହେବ। ସେ ଦଳ ଛାଡ଼ିବା କିଛି ଫରକ ପଡ଼ିବ ନାହିଁ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅଶୋକ ପାଣିଗ୍ରାହୀ ଇସ୍ତଫା ଦେଇଥିଲେ। ଏହା ପରେ ସେ ୨୦୧୭ ଅକ୍ଟୋବର ୨ରେ ବିଜେପିରେ ଯୋଗ ଦେଇଥିଲେ ।

ବିଜେପୁର ଉପ ନିର୍ବାଚନରେ ବିଜେପି ସନତ ଗଡ଼ତିଆଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ଯେଉଁଥିପାଇଁ ଜାତୀୟ ସ୍ତରରେ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଥିବା ଅଶୋକ ବାରମ୍ବାର ଗଣମାଧ୍ୟମ ଆଗରେ ବିଜେପି ବିରୋଧରେ ଅଣଦେଖା କରୁଥିବା ଅଭିଯୋଗ କରି ଆସୁଥିଲେ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଥିଲେ । ଗତ ସାଧାରଣ ନିର୍ବାଚନ ଓ ଉପ ନିର୍ବାଚନରେ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନଥିଲା ବୋଲି ସେ ଦଳ ବିରୋଧରେ  ବିଷୋଦଗାର କରିଥିଲେ।

Subscribe

National International State Sports Entertainment