ରାହୁଲ ଗାନ୍ଧିଙ୍କୁ ବୁଝାଇବି, ଯଦି ସେ ନ ବୁଝନ୍ତି ତା’ହେଲେ କଂଗ୍ରେସ ଅଧ୍ୟକ୍ଷ ପଦବି ପାଇଁ ନାମାଙ୍କନ ଦାଖଲ କରିବି: ଅଶୋକ ଗହଲୋତ
Khabar Odisha:Politics-Congress-president-election-Rahul-Gandhi-Ashok-Gehlot-Shashi-Tharoor

ଜୟପୁର, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): କଂଗ୍ରେସର ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଆଉ ଗୋଟିଏ ମାସରୁ ବି କମ ସମୟ ଅଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ମଙ୍ଗଳବାର ରାତିରେ ବିଧାୟକଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠକରେ ଗହଲୋତ ସ୍ୱଷ୍ଟ ଭାବେ କହିଛନ୍ତି ଯେ, ସେ ରାହୁଲ ଗାନ୍ଧିଙ୍କୁ ସର୍ବପ୍ରଥମେ ବୁଝାଇବାକୁ ଉଦ୍ୟମ କରିବେ । ଯଦି ସେ ରାଜି ନ ହୁଅନ୍ତି ତା’ ହେଲେ କଂଗ୍ରେସ ଅଧ୍ୟକ୍ଷ ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ସୂଚନାଯୋଗ୍ୟ ଗହଲୋତ ଆଜି (ବୁଧବାର) ଦିଲ୍ଲୀ ଗସ୍ତ କରୁଛନ୍ତି । 

କଂଗ୍ରେସରେ ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ କରିବା ଲାଗି ଦାବି ହେଉଛି । କିନ୍ତୁ ରାହୁଲ ନିର୍ବାଚନ ନ ଲଢ଼ିବାକୁ ନିଜର ଆଗ୍ରହ ବୋଧେ ବଦଳାଇ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ପଦବି ପାଇଁ ଏପର୍ଯ୍ୟନ୍ତ ଶଶି ଥରୁର ଏବଂ ଅଶୋକ ଗହଲୋତଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଶଶି ଥରୁରଙ୍କୁ ନିଜର ସଂସଦୀୟ କ୍ଷେତ୍ର ଥିବା ରାଜ୍ୟ କେରଳରେ ମଧ୍ୟ ସମର୍ଥନ ମିଳୁ ନାହିଁ । ଅନ୍ୟପଟରେ ଅଶୋକ ଗହଲୋତ ନିର୍ବାଚନର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । 

ଅଶୋକ ଗହଲୋତ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ କଂଗ୍ରେସ ବିଧାୟକଙ୍କ ସହିତ ନିଜର ନିବାସରେ ବୈଠକ କରିଥିଲେ । ସଂଗଠନ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ହୋଇଥିଲା ଏବଂ ଏହାର ଗୁରୁତ୍ୱ ରହିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଧାୟକମାନଙ୍କୁ ସମ୍ବୋଧିତ କରି ଗହଲୋତ କହିଥିଲେ ଯେ, ମୁଁ ବୁଧବାର ଦିଲ୍ଲୀ ଯାଉଛି । ସେଠାରେ ରାହୁଲ ଗାନ୍ଧିଙ୍କୁ ପାର୍ଟିର ଅଧ୍ୟକ୍ଷ କରିବାକୁ ବୁଝାଇବି । ଯଦି ସେ ଏଥି ପାଇଁ ପ୍ରସ୍ତୁତ ନୁହଁନ୍ତି, ତା’ହେଲେ ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରସ୍ତୁତି କରିବି । ଗହଲୋତ କହିଛନ୍ତି ଯେ, ନାମାଙ୍କନ ପତ୍ର ଦାଖଲ ସମୟରେ ଆପଣମାନଙ୍କୁ (ସମସ୍ତ ବିଧାୟକ)ଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ । 

 

  • Tags:

Subscribe

National International State Sports Entertainment