ଭୁବନେଶ୍ୱର, ଡିସେମ୍ବର ୨୭ ( ଖବର ଓଡ଼ିଶା):
ହାଇକମାଣ୍ଡ ଜମିଦାର, ଆମେ ଗୁମାସ୍ତା-ଅରୂପ
ଭୁବନେଶ୍ୱର, 27 ଡିସେମ୍ବର ()-ଚର୍ଚ୍ଚାରେ ବିଜେଡ ନେତା ଅରୂପ ପଟ୍ଟନାୟକ...ଏଥର ବିଜେଡିରେ ଚାଲିଥିବା ଗୁମର ଖୋଲି ଚର୍ଚ୍ଚାକୁ ଆସିଛନ୍ତି ଅରୂପ । ଖାଲି ସେତିକି ନୁହେଁ ମୋ ପରିବାରରେ ସାମିଲ ନ ହେଲେ କି ବିଜେଡି ଲୋକଙ୍କ ସହଯୋଗ ନ ନେଲେ ଥାନାକୁ ଗଲେ ବନ୍ଧା ହେବାର ସମ୍ଭାବନା ରହିଥିବା କହି ସରକାରଙ୍କ ଅସଲମୁଖା ଖୋଲିଦେଇଛନ୍ତି ଅରୂପ । ଅରୂପଙ୍କ ଏପରି ବୟାନ ପରେ ପଦାରେ ପଡିଲା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଓ ଆଇନ୍ଶୃଙ୍ଖଳାର ବାସ୍ତବତା । ବିଜେଡିର କାର୍ଯ୍ୟକ୍ରମ ମୋ ପରିବାରରେ ସାମିଲ ହୁଅ କିମ୍ବା ବିଜେଡି ଲୋକଙ୍କ ସହାୟତା ଲୋଡ ନଚେତ ମିଳିବ ନାହିଁ ସରକାରୀ ସୁବିଧା । ଏପରି କଥା କହି ପରୋକ୍ଷରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଅରୂପ । ବିଜେଡି ନେତା ଅରୁପ ପଟ୍ଟନାୟକଙ୍କର ଏପରି କିଛି ବକ୍ତବ୍ୟକୁ ନେଇ ଏବେ ଆରମ୍ଭ ହୋଇଛି ବିତର୍କ । ଖୋର୍ଦ୍ଧାରେ ଆୟୋଜିତ ବିଜେଡି ୨୪ ତମ ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗଦେଇ ଦଳର ଗୁମର ଖୋଲିଦେଇଥିଲେ ଅରୂପ । କେବଳ ଥାନା ନୁହେଁ ଡାକ୍ତରଖାନାରେ ମଧ୍ୟ ସମଦଶା ବୋଲି କହିଛନ୍ତି ବିଜେଡିର ଏହି ତୁଙ୍ଗ ନେତା । ସେ କହିଛନ୍ତି ଓଡ଼ିଶାରେ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭଲ ବ୍ୟବସ୍ଥା ନାହିଁ। ଏପରିକି ଏଠାରେ ରୋଗ ନିରୁପଣ ଠିକ୍ ଭାବେ ହୋଇପାରୁ ନାହିଁ। ତେଣୁ କ୍ୟାନସର ରୋଗୀଙ୍କ ଚିକିତ୍ସା ଟାଟାରେ ହେବ । ବିଜେଡିରେ ଚାକର ଉପାଖ୍ୟାନ ପରେ ଏବେ ଚର୍ଚ୍ଚାକୁ ଆସିଛି ଗୁମାସ୍ତା ପ୍ରସଙ୍ଗ । ଆଉ ଏହି ଗୁମସ୍ତା ଉପାଖ୍ୟାନର ମୂଳଦୁଆ ପକାଇଛନ୍ତି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ। ଅରୂପ କହିଛନ୍ତି ନବୀନବାବୁ ଆମ ଜମିଦାର, ଆମେ ସମସ୍ତେ ତାଙ୍କର ଗୁମାସ୍ତା । ଯାହାକୁ ନେଇ ଶାସକ ଦଳକୁ କଡା ସମାଲୋଚନା କରିଛନ୍ତି ବିରୋଧୀ । ବିରୋଧୀ ବିଜେପି ସଦସ୍ୟ ଗୋଲକ ମହାପାତ୍ର ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏନେଇ ବର୍ଷିଛନ୍ତି ବିଜେଡି ଉପରେ ।