ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫିର ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲାକୁ ପୁରା କ୍ରିକେଟ୍ ଜଗତ ଚାହିଁ ରହିଛନ୍ତି । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାଶିଦ ଅଲଭି । ସେ କହିଛନ୍ତି ବିଜେପି ନେତା ପାକିସ୍ତାନ ବିରୋଧରେ ବୟାନ ଦିଅନ୍ତି, ନିର୍ବାଚନରେ ନାରା ଦିଅନ୍ତି ଯେ, ଭାରତରେ କଂଗ୍ରେସ ଜିତିଲେ ତାଳିମାଡ ପାକିସ୍ତାନରେ ହେବ ।
ରାଶିଦ ଅଲଭି କହିଛନ୍ତି, ଏବେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି । ଏହା କି ପ୍ରକାରର ନୀତି ? ଯଦି ପାକିସ୍ତାନ ଆମର ଶତ୍ରୁ ତେବେ ତା ସହ ଖେଳିବାର କଣ ଅର୍ଥ ରହିଛି ? ସରକାର ବାରମ୍ବାର କହୁଛନ୍ତି ଯେ ପର୍ଯ୍ୟନ୍ତ ଆତଙ୍କବାଦ ସମାପ୍ତ ନ ହୋଇଛି େ ପର୍ଯ୍ୟନ୍ତ ପାକିସ୍ତାନ ସହ ଆଲୋଚନା ହେବ ନାହିଁ । କଣ ଆତଙ୍କବାଦ ସମାପ୍ତ ହୋଇଗଲା ? କାଶ୍ମୀରରେ ଯବାନ ସହିଦ ହେଉ ନାହାନ୍ତି ?
କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି, ବର୍ତ୍ତମାନ ଭାରତ ସରକାରଙ୍କ ନୀତି ବୁଝିବା ବାହାରେ ରହିଛି । ମୁଁ ଏହାର ଘୋର ନିନ୍ଦା କରୁଛି । ସରକାରଙ୍କ ଦ୍ୱାରା ମ୍ୟାଚ୍ ଆୟୋଜନ କରାଯାଉଛି । ପୁଣି ଆସନ୍ତାକାଲି ସେମାନଙ୍କ ବିରୋଧରେ ବୟାନ ଦେବେ । ମୁଁ ଆମ ଦେଶର ଖେଳାଳିଙ୍କୁ ନିଶ୍ଚିତ ଭାବେ ଶୁଭକାମନା ଜଣାଉଛି । ଆମର ଦଳ ବେଶ ମଜବୁତ ଏବଂ ଜିତିବ ମଧ୍ୟ ।
ପ୍ରଶ୍ନ ଏହା ଯେ, ଭାରତ ସରକାର ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳକୁ କେମିତି ଅନୁମତି ଦେଲେ ? ଯେଉଁ ଲୋକେ ଆତଙ୍କ ପ୍ରଚାର କରୁଛନ୍ତି, ଆପଣ ସେମାନଙ୍କ ସହ ଖେଳୁଛନ୍ତି । କଣ ଏହା ଉଚିତ୍ କି ? କଣ ସହିଦଙ୍କ ପରିବାର ଲୋକ ଏହାକୁ ବରଦାସ୍ତ କରିବେ? ଆପଣ ସେମାନଙ୍କ ହୃଦୟକୁ ଭାଙ୍ଗୁଛନ୍ତି । ସେମାନଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି ।