ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):
ମହାମାରୀ କରୋନା ମୁକାବିଲା ନିମନ୍ତେ ଗତକାଲି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ସମସ୍ତ ସାଂସଦ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦରମାରେ 30 ପ୍ରତିଶତ କାଟ କରିବା ନେଇ ନିଷ୍ପତି ନିଆଯାଇଥିବା ବେଳେ ଏହି ନିଷ୍ପତି ଆମ ରାଜ୍ୟରେ ମଧ୍ୟ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ କୁମାର ନାୟକ।
ଟ୍ୱିଟରରେ ସୂଚନା ଦେଇ ପ୍ରଦୀପ୍ତ ଲେଖିଛନ୍ତି ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢ଼ୁଛି । ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଲୋକ ପ୍ରତିନିଧି ମାନଙ୍କର ଲୋକମାନଙ୍କ ପାଇଁ ବଡ଼ ଭୂମିକା ରହିଛି ।ଓଡ଼ିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ଏମଏଲଏ ଲାଡ୍ ଫଣ୍ଡ 2 ବର୍ଷ ପାଇଁ ବନ୍ଦ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ।
ଏହାସହ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବା ପାଇଁ ଇଚ୍ଛାବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏହାକୁ ଲାଗୁ କରନ୍ତୁ ।
ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡ଼ିକରେ ସଭାପତି ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ୟ 30 ପ୍ରତିଶତ କମ୍ ଦରମା ନେବାକୁ ମୁଁ ପ୍ରସ୍ତାବ ଦେଉଛି ।
କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି, ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ ବୋଲି କହିଛନ୍ତି ପ୍ରଦୀପ୍ତ।