ଝାରସୁଗୁଡ଼ା: ଭଉଣୀକୁ ଜିତାଇବାକୁ ଯାଇ ଫଶିଗଲେ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଳ ଦାସ । କାରଣ ଅନାସ୍ଥା ଭୋଟରେ ବ୍ଲକ ଅଧକ୍ଷାଙ୍କୁ ହରାଇବା ପାଇଁ ଦିପାଳୀ କରିଥିବା ପ୍ଲାନରେ ସେ ଏବେ ନିଜେ ଫଶିଯାଇଛନ୍ତି । ଏହି ପ୍ଲାନକୁ ସଫଳ କରିବା ପାଇଁ ଭାଇ ବିଶାଲକୁ କରିଥିଲେ ଢାଲ ।
ଝାରସୁଗୁଡ଼ା କିରମିରା ବ୍ଲକର ବିଜେପିର ଅଧ୍ୟକ୍ଷା ବର୍ତ୍ତମାନ ଦାୟିତ୍ବରେ ଅଛନ୍ତି । ତାଙ୍କୁ ହଟାଇବା ପାଇଁ ଦିପାଳୀ କରିଥିଲେ ପ୍ଲାନ । ସେଥିପାଇଁ ବିଶାଲ ଦାସ ବିଜେଡି ସମର୍ଥକ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଛତିଶଗଡ଼ ଚାଲିଯାଇଥିଲେ । କିରମିରା ବ୍ଲକର ଅଧ୍ୟକ୍ଷାଙ୍କ ଲାଗି ଦିପାଳୀ କୁଆଡେ ନିର୍ବାଚନ ହାରିଥିଲେ । କିରମିରା ବ୍ଲକର ବିଜେପି ନେତା ତେଜରାଜ ସାହୁ ଥିଲେ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ଅତି ଘନିଷ୍ଠ । ତାଙ୍କ ସ୍ତ୍ରୀ ହେଉଛନ୍ତି କିରମିରା ବ୍ଲକ ଅଧକ୍ଷା କୃଷ୍ଣପ୍ରିୟା ସାହୁ । ନିର୍ବାଚନ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀ, ତେଜରାଜ ଓ କୃଷ୍ଣପ୍ରିୟା ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ସହ ହାତ ମିଳାଇବା ଯୋଗୁଁ ଦୀପାଳୀ କୁଆଡେ ନିର୍ବାଚନ ହାରିଗଲେ । ତେଣୁ ସ୍ୱାମୀ-ସ୍ତ୍ରୀଙ୍କ ଉପରେ ପ୍ରତିଶୋଧ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ଦୀପାଳି ।
କୃଷ୍ଣପ୍ରିୟଙ୍କ ବିରୋଧରେ ତୁରନ୍ତ ଅନାସ୍ଥା ପ୍ରସ୍ତାବ ଆଣିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଦିପାଳୀଙ୍କ ସମର୍ଥକ । ହାଇକୋର୍ଟ ୧୫ ଦିନ ମଧ୍ୟରେ ଏକ ତାରିଖ ଦେବା ପାଇଁ ଏକ ଦିନ ଧାର୍ଯ୍ୟ କରିଥିଲେ । ଏହାପରେ ନଭେମ୍ବର ୧୮ ତାରିଖରେ ଦିନ ଧାର୍ଯ୍ୟ ହୋଇଥିଲା । ସେପଟେ କୃଷ୍ଣପ୍ରିୟା ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନାସ୍ଥା ଭୋଟ ପାଇଁ ଜାନୁଯାରୀ ୧୦କୁ ଦିନ ଧାର୍ଯ୍ୟ ହୋଇଥିଲା ।
ସେପଟେ ୪ ମାସ ହେଲା ୧୨ ଜଣ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଧରି ଏମିତି ବୁଲୁଥିଲେ ବିଶାଲ । କାଳେ କିଏ ବିଜେପି ସପକ୍ଷରେ ଚାଲିଯିବ ଆଉ ସବୁ ପ୍ଲାନ ଭଣ୍ଡୁର ହୋଇଥିବା ଭାବି ବିଶାଲ ଗୋଟିଏ ହୋଟେଲରୁ ଆଉ ଗୋଟିଏ ହୋଟେଲକୁ ଘୂରି ବୁଲିଥିଲେ । ପରିସ୍ଥିତି ଏମିତି ହେଲା ଯେ, କିଛି ସମିତି ସଭ୍ୟଙ୍କ ପରିବାର ଲୋକେ ଥାନାରେ ନିଖୋଜ ଖବର ଆଣିଲେ । ଏଇଠୁ ପୂରା ବାଜି ଓଲଟି ଯାଇଥିଲା, ଆଉ ନିଜେ ରଚିଥିବା ପ୍ଲାନରେ ଫଶିଯାଇଥିଲେ ଦିପାଳୀ ଦାସ ।
ସେପଟେ ସମିତିସଭ୍ୟ ନିଖୋଜ ହେବା ଘଟଣାରେ ଅଭିଯୋଗକୁ ଭର୍ତ୍ତି କରି ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ । ବିଶାଳଙ୍କ ହୋଟେଲ, ଘର ସବୁ ଜାଗାରେ ଖୋଜାଖୋଜି ଆରମ୍ଭ ହେଲା । ଶେଷରେ ଛତିଶଗଡ଼ ପୋଲିସ ହାତରେ ଧରାପଡ଼ିଲେ ୯ ଜଣ ସମିତିସଭ୍ୟ ଓ ସରପଞ୍ଚଙ୍କ ସହ ଦିପାଳୀଙ୍କ ଭାଇ ବିଶାଲ ଦାସ । ଏପଟେ ଏହି ଘଟଣାକୁ ନେଇ ଦିପାଳୀ ସିଧା ନିଜ ମୁଣ୍ଡରୁ ଦୋଷ ଖସାଇ ବିଜେପି ସରକାରଙ୍କୁ ଟାଗେର୍ଟ କଲେ ।
ଗତକାଲି କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟରେ କେହି ଭୋଟ ଦେବାକୁ ନ ଆସିବାରୁ ରିଟର୍ଣ୍ଣିଂ ଅଫିସର ଏହାକୁ ସ୍ଥଗିତ ରଖିଥିଲେ । ନିୟମ ଅନୁସାରେ ଆଉ ବର୍ଷେ ଯାଏ ଅନାସ୍ଥା ଭୋଟ୍ ହୋଇପାରିବ ନାହିଁ ।