ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ପାର୍ଟି ପକ୍ଷରୁ ଅନେକ ଗ୍ୟାରେଣ୍ଟି ସ୍କିମ ଲଞ୍ଚ କରାଯାଇଥିଲା । ରାଜ୍ୟବାସୀଙ୍କୁ ପାଞ୍ଚ ପ୍ରକାରର ସୁବିଧା ମାଗଣାରେ ଦେବାକୁ ଘୋଷଣା ହୋଇଥିଲା । ରାଜ୍ୟର ଜନତାଙ୍କୁ କଂଗ୍ରେସ ଏହି ଭରସା ଦେଇ ସରକାରକୁ ଆସିଲା । ଏଥିରେ ଆତ୍ମମୁଗ୍ଧ ହୋଇ ଦେଶର ସର୍ବ ପୁତାତନ ପାର୍ଟି ମହାରାଷ୍ଟ୍ରରେ ମଧ୍ୟ ପାଞ୍ଚ ଗ୍ୟାରେଣ୍ଟି ଦେଇଛି । ହେଲେ କର୍ଣ୍ଣାଟକରେ ଦେଇଥିବା ପାଞ୍ଚ ଗ୍ୟାରେଣ୍ଟି କଂଗ୍ରେସ ପାଇଁ ଏବେ ଭାରି ପଡିଛି । ଏହାକୁ ନେଇ ବିବାଦ ଦେଖା ଦେଇଛି ।
ଏହାକୁ ନେଇ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି, ଜନତାଙ୍କୁ ସେତିକି ପ୍ରତିଶ୍ରୁତି ଦେବା ଉଚିତ୍, ଯେମିତି ପୂରା କରିବା ସମ୍ଭବ । ଯେଉଁ ପ୍ରତିଶ୍ରୁତି ପୂରା କରାଯାଇ ପାରିବ ନାହିଁ, ସେମିତି ପ୍ରତିଶ୍ରୁତି ଦେବା ଉଚିତ୍ । ଖଡଗେଙ୍କ ଏହି ବୟାନ ପରେ କଂଗ୍ରେସର କର୍ଣ୍ଣାଟକ ସରକାରଙ୍କୁ ଏହା ସ୍ପଷ୍ଟ କରିବାକୁ ପଡିଛି ଯେ, ପ୍ରମୁଖ ଗ୍ୟାରେଣ୍ଟି ଯୋଜନାକୁ ସମାପ୍ତ କରାଯିବ ନାହିଁ ।
ଖଡଗେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଯୋଜନାକୁ ନେଇ ତାଗିଦ କରିଛନ୍ତି । ଖଡଗେ କହିଛନ୍ତି, ଆପଣଙ୍କ ପାଞ୍ଚ ଗ୍ୟାରେଣ୍ଟିକୁ ଦେଖି ମୁଁ ମହାରାଷ୍ଟ୍ରରେ ପାଞ୍ଚ ଯୋଜନା ଘୋଷଣା କରିଛି । ମାତ୍ର ଏବେ ଆପଣ କହୁଛନ୍ତି, ଗୋଟିଏ ଗ୍ୟାରେଣ୍ଟିକୁ ସମାପ୍ତ କରାଯିବ ।
ଏହା ପୂର୍ବରୁ ବୁଧବାର ଡିକେ ଶିବକୁମାର କହିଥିଲେ, ସରକାର ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରାର ଶକ୍ତି ଯୋଜନା ଉପରେ ପୁନର୍ବିଚାର କରାଯିବ । କାରଣ କିଛି ଲୋକ ଟିକେଟ୍ ଦେଇ ଯାତ୍ରା କରିବାକୁ ଚାହାନ୍ତି । ତେବେ ଖଡଗେଙ୍କ ତାଗିଦ ପରେ ଶିବକୁମାର କହିଛନ୍ତି, ମୁଁ ଏମିତି ବୟାନ ଦେଇ ନାହିଁ । ଏହା ଉପରେ ଖଡଗେ କହିଛନ୍ତି, ଆପଣ ବୋଧହୁଏ ଖବରକାଗଜ ପଢୁ ନାହାନ୍ତି ।