ଭୁବନେଶ୍ୱର: ସଦସ୍ୟତା ଅଭିଯାନ, ସକ୍ରିୟ ସଦସ୍ୟତା ଅଭିଯାନ ପରେ ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି ହେଉଛି ରାଜ୍ୟ ବିଜେପି । ଏଥିପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ପର୍ବ ରାଜ୍ୟ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ସଂଗଠନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା, ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ଦଳ ସହିତ ଯୋଡିତ ଥିବା ସାଂସଦ ଓ ବିଧାୟକମାନେ ଯୋଗ ଦେଇଛନ୍ତି । ଆୟୋଜିତ କର୍ମଶାଳାରେ ନିର୍ବାଚନ ସହ ପ୍ରଭାରି ଲତା ଉସେଣ୍ଡି ଏବଂ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।
ଏହା ମାଧ୍ୟମରେ ରାଜ୍ୟ ସଭାପତି, ଜିଲ୍ଲା ସଭାପତି, ବ୍ଳକ ସଭାପତି ସମେତ ଦଳର ବୁଥ ଠାରୁ ଆରମ୍ଭ କରି ବିଭିନ୍ନ ସାଂଗଠନିକ ପଦର ନିର୍ବାଚନକୁ ନେଇ କର୍ମଶାଳା ଅନୁଷ୍ଠିତ ହେବ ବୋଲି କହିଛନ୍ତି ବିଜେପିର ରାଜ୍ୟ ଉପସଭାପତି ଜତିନ ଦାସ । ସକ୍ରିୟ ସଦସ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ । ସେପ୍ଟେମ୍ବର ୨ରୁ ଦେଶରେ ବିଜେପିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ସକ୍ରିୟ ସଦସ୍ୟଙ୍କୁ ବିଚାର କରାଯିବ । ସେମାନଙ୍କୁ ଆଗକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ।
ସକ୍ରିୟ ସଦସ୍ୟ ହୋଇଥିଲେ ହିଁ ଦଳୀୟ ସାଙ୍ଗଠନିକ ପଦପଦବୀ ପାଈଁ କରିପାରିବେ ଆବେଦନ । ନଭେମ୍ବର ୫ ତାରିଖରେ ଆସିବ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା । ପୁଣି ୨୫ ରେ ଦ୍ଵିତୀୟ ସକ୍ରିୟ ସଦସ୍ୟ ତାଲିକା ଆସିବା ପରେ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା । ଏହା ସହିତ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ନିଯୁକ୍ତ ହୋଇଛନ୍ତି ।
ନଭେମ୍ବର ୫ରେ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା ପ୍ରକାଶ କରିବ କେନ୍ଦ୍ର । ସେହିପରି ନଭେମ୍ବର ୧ ରୁ ୧୫ ସକ୍ରିୟ ସଦସ୍ୟ ଚାଲିବା ପରେ ୨୫ରେ ଦ୍ଵିତୀୟ ପର୍ଯ୍ୟାୟ ସକ୍ରିୟ ସଦସ୍ୟ ତାଲିକା ଆସିବ । ପରେ ବୁଥ ଏବଂ ମଣ୍ଡଳ ସ୍ତରରେ ସଭାପତି ପଦ ପାଈଁ ଆବେଦନ କରିବେ । ବୁଥ ଏବଂ ମଣ୍ଡଳ ସଭାପତି ସ୍ଥିର ପରେ ସେମାନେ ଜିଲ୍ଲା ସଭାପତି ବାଛିବେ ଏବଂ ଜିଲ୍ଲା ସଭାପତି ରାଜ୍ୟ ସଭାପତି ବାଛିବେ ।
ଏବେ ସୁଦ୍ଧା ଅନଲାଇନରେ ୫୦ ଲକ୍ଷ ସଦସ୍ୟ ବିଜେପି ସହ ଯୋଡି ହୋଇଛନ୍ତି । ଅଫଲାଇନରେ ମଧ୍ୟ ସଦସ୍ୟ ଯୋଡି ହେଉଛନ୍ତି । ଆଜି ରାଜ୍ୟ ସ୍ତରୀୟ କର୍ମଶାଳା ପରେ ଜିଲ୍ଲା ଗୁଡିକରେ ମଧ୍ୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ ।