ଭୁୁବନେଶ୍ୱର: ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିସ୍ଫୋରକ ବୟାନ ଦେଇଛନ୍ତି । ଏାହ ସହିତ ବିଜେଡି ଦଳ ଭିତରେ କଣ କଣ ଚାଲିଥିଲା, କାହା ଇସାରାରେ ଦଳ ଚାଲୁଥିଲା ଏବଂ କିଏ ଟିକେଟ୍ ବାଣ୍ଟୁଥିଲା ସେ ସବୁର ଗୁମର ଖୋଲିଛନ୍ତି । ଅଫିସରମାନରେ ବିଜେଡି ଟିକେଟ୍ ବାଣ୍ଟୁଥିଲେ । ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କୁ ଦେଖା କରିବାକୁ ନେତାମାନଙ୍କୁ କୁହାଯାଉଥିଲା । ମୁଁ ମଧ୍ୟ ସେମାନଙ୍କୁ ଟିକେଟ୍ ପ୍ରସଙ୍ଗରେ ଦେଖା କରିଥିଲି । ଟିକେଟ୍ ମିଳିବା ନେଇ ଶାନ୍ତ୍ୱନା ଦେଇ ସବୁ ଠିକ୍ଠାକ୍ କହିଥିଲେ ।
କେବଳ ଏତିକି ନୁହେଁ ତତ୍କାଳୀନ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ନା ନେଇ ଖୁବ ବର୍ଷିଛନ୍ତି ସୁନନ୍ଦା । ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଅଭ୍ୟାସ ନୁହେଁ ବୋଲି କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ୍ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା । ଟିକେଟ୍ ଦେବା ଲୋକ ମୁଁ ଓ ଟିକେଟ୍ କାଟିବା ଲୋକ ମୁଁ ବୋଲି କହିଥିଲେ ।
ସେ ଆଉ ଏକ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି ଯେ, ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକି ଦଳରେ ମିଶାଯାଇଥିଲା । ୨୦୧୯ ନିର୍ବାଚନ ଜିତିବା ପରେ ବରୀବାସୀଙ୍କ ପାଇଁ କାମ କରୁଥିଲି । ୨୦୨୪ ନିର୍ବାଚନରେ ରାତିରେ ମୋତେ ବେଷ୍ଟ ଅଫ ଲକ୍ କହିଲେ, ଆଉ ସକାଳେ ଟିକେଟ୍ କଟିଗଲା । ମୋ ଟିକେଟ୍ କାହିଁକି କଟିଲା ତାର ଉତ୍ତର ବବି ଦେଇ ପାରିବେ ବୋଲି ସେ କହିଛନ୍ତି ।ଆଉ ମୋ ଟିକେଟ୍ ସେ ହିଁ କାଟିଛନ୍ତି ।
ସେ କହିଛନ୍ତି, ଟିକେଟ୍ କଟିବା ପରେ ଭିକେ ପାଣ୍ଡିଆନ ମୋତେ ଡାକିଥିଲେ । ମୁଁ ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ୍ କଟିଲା ବୋଲି କହିଥିଲେ । ଆପଣ କଣ୍ଟାବାଞ୍ଜି ଯାଇ ପ୍ରଚାର କରନ୍ତୁ ପରେ ବୁଝାଯିବ ବୋଲି ପାଣ୍ଡିଆନ କହିଥିଲେ ।
ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀର ବିଧାୟିକା ଥିଲେ । କିନ୍ତୁ ୨୦୨୪ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା । ତାଙ୍କ ବଦଳରେ ବିଜେପି ଛାଡି ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦଳ ଟିକେଟ୍ ଦେଇଥିଲା । ଆଉ ବିଶ୍ୱରଞ୍ଜନ ବିଜୟୀ ମଧ୍ୟ ହୋଇଥିଲେ । ତେବେ ଗତ ୫ ମାସ ହେବ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ ସୁନନ୍ଦା ଦାସ । ଦଳର ଏତାଦୃଶ୍ୟ ସେ ମର୍ମାହତ କରିଥିଲା । ତେଣୁ ସେ ଦଳ ଛାଡିଥିଲେ ।