ମୁମ୍ବାଇ: ବିଜେପି ବିଏମସି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି । ଏଥର ମୁମ୍ବାଇରେ ଠାକରେ ପରିବାରର ଦୀର୍ଘ ସମୟ ଧରି ଚାଲିଥିବା ଶାସନର ଅନ୍ତ ଘଟିଛି । ଏହାକୁ ନେଇ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ କହିଛନ୍ତି, ଜନତା ସେହି ଲୋକଙ୍କୁ ନିଜର ଅସଲ ଶକ୍ତି ଦେଖାଇଛନ୍ତି । ଏହି ଲୋକେ ଗାଳି ଦେଇଥିଲେ, ଘର ଭାଙ୍ଗିଥିଲେ ଓ ମହାରାଷ୍ଟ୍ର ଛାଡିବାକୁ ଧମକ ଦେଉଥିଲେ । କଙ୍ଗନା ଠାକରେ ପରିବାରକୁ ଟାର୍ଗେଟ୍ କରି କହିଛନ୍ତି, ମୁଁ ବହୁତ ଖୁସି ଯେ, ଏମିତି ଲୋକ ମହାରାଷ୍ଟ୍ରରୁ ବାହାରି ଗଲେ । ଜନତା ଜନାର୍ଦ୍ଦନ ଏମିତି ଲୋକଙ୍କୁ ଠିକ୍ ଜାଗା ଦେଖାଇଛନ୍ତି ।
କଙ୍ଗନା ରଣାୱତ ଏହି ବୟାନ ତାଙ୍କର ପୁରୁଣା ଅଭିଯୋଗ ସହ ଜଡିତ । ୨୦୨୦ରେ ଅବିଭାଜିତ ଶିବସେନା ବିଏମସିରେ ତାଙ୍କ ବାନ୍ଦ୍ରା ସ୍ଥିତ ବଙ୍ଗଳାର କିଛି ଅଂଶ ଭାଙ୍ଗି ଦେଇଥିଲେ । ରାଜନୈତିକ ପ୍ରତିଶୋଧ ହୋଇ ତାଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଙ୍ଗନା କହିଥିଲେ । ବମ୍ବେ ହାଇକୋର୍ଟ ମଧ୍ୟ ପ୍ରାକ୍ତନ ଶିବସେନା ସରକାରଙ୍କ ଏମିତି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ । ବିଏମସି ନିର୍ବାଚନ ଠାକରେ ବ୍ରଦର୍ସଙ୍କ ପରାଜୟକୁ ବ୍ୟକ୍ତିଗତ ଭାବେ ଦେଖୁଛନ୍ତି । ସେ କହିଛନ୍ତି, ଯେଉଁ ଲୋକେ ତାଙ୍କ ଘର ଭାଙ୍ଗିଥିଲେ, ସେମାନଙ୍କୁ ଏବେ କ୍ଷମତାରୁ ବେଦଖଲ ହେବାକୁ ପଡିଛି ।
କଙ୍ଗନା ବିଜେପିର ବିଜୟ ଉପରେ ଖୁସି ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଫଡଣଭିସ ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମହାୟୁତି ମେଣ୍ଟ ୨୨୭ରୁ ୧୧୮ ସିଟ୍ ଜିତି ସ୍ପଷ୍ଟ ବହୁମତ ପ୍ରାପ୍ତ କରିଛି । ବିଜେପି ଏକାକୀ ୮୯ ସିଟ୍ ଜିତିଛି । ଏହି ବିଜୟ ପିଏମ ମୋଦୀ ଓ ସିଏମ ଫଡଣଭିସଙ୍କ ନେତୃତ୍ୱରେ ବିକାଶ ଓ ସୁଶାସନର ଏଜେଣ୍ଡାର ବିଜୟ।
Also read: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ପ୍ରଥମ ଥର ଭୋଟ୍ କରି ପାରିବେ ନାହିଁ ଆଡଭାଣୀ ଓ ଯୋଶୀ, ଜାଣନ୍ତୁ କାରଣ