ସୋମବାର ସମ୍ବଲପୁର ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରେଢ଼ାଖୋଲ ଠାରେ ଥିବା ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଭୀମଭୋଇଙ୍କ ମହତ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୀମଭୋଇଙ୍କ ରଚନା ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ଜୀବନଧାରାକୁ ଗଭୀର ଭାବେ ପ୍ରଭାବିତ କରିଛି । ସନ୍ଥକବିଙ୍କ ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସବ୍କା ସାଥ୍, ସବ୍କା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ।
ଏଥିସହ ଶ୍ରୀ ପ୍ରଧାନ ରେଢାଖୋଲର ଇଷ୍ଟ ଦେବତା ପଞ୍ଚଖଣ୍ଡାଙ୍କ ଦର୍ଶନ କରିବା ସହ ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି । ଉଭୟ ମନ୍ଦିରରେ କିଛି ସମୟ ବିତାଇ ପୂଜକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।
ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ରେଢାଖୋଲର ବିଭିନ୍ନ ସ୍ଥାନରେ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ । ପରେ ରେଢାଖୋଲରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ଶ୍ରୀ ପ୍ରଧାନ ବୈଠକ କରିଥିଲେ । ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାରେ ସଫଳ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।