ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ପ୍ରଧାନମନ୍ତ୍ରୀ ପଦକୁ ନେଇ ନିକଟରେ ଦେଇଥିବା ଟିପ୍ପଣୀ ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ମଧ୍ୟରେ ଏକ କାର୍ଯ୍ୟକ୍ରମରେ ଏନଡିଏର ଭବିଷ୍ୟତ, ବିଜେପିର ସିଟ୍ ସଂଖ୍ୟା ହ୍ରାସ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମେତ ଅନେକ ପ୍ରସଙ୍ଗରେ ମନ ଖୋଲି ଆଲୋଚନା କରିଛନ୍ତି ଗଡକରୀ । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଲୋକେ ଆଜି ବି ଆମକୁ ଭରସା କରୁଛନ୍ତି ।
ଇଣ୍ଡିଆନ ଏକ୍ସପ୍ରେସର ଏକ କାର୍ଯ୍ୟକ୍ରମରେ ଗଡକରୀଙ୍କୁ ପ୍ରଶ୍ନ କରାଗଲା ଯେ, ଆପଣ କହୁଛନ୍ତି ମୋଦୀ ସରକାର କେନ୍ଦ୍ରରେ ଦୃଢ ସ୍ଥିତିରେ ରହିଛି । ମାତ୍ର ଏହା ମଧ୍ୟ ଏକ ଧାରଣା ଯେ, ଏନଡିଏ କଣ ୫ ବର୍ଷ ସରକାର ପୂରଣ କରି ପାରିବ । ଆପଣ ଏହି ଧାରଣାରୁ କେମିତି ମୁକ୍ତି ପାଇବେ ? ଏହା ଉପରେ କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଛନ୍ତି, ବିଜେପି ଛବି ବନାମ ବାସ୍ତବା ଓ ତୃଣମୂଳସ୍ତରର ବାସ୍ତବତାର ଧାରଣାକୁ ନେଇ ଉଠିଥିବା ପ୍ରଶ୍ନକୁ ବହୁତ ସମୟ ଧରି ସାମ୍ନା କରି ଆସୁଛି ।
ସେ କହିଛନ୍ତି, ମାତ୍ର ବାସ୍ତବତା ଏହା ଯେ, ଲୋକଙ୍କୁ ଆମ ଉପରେ ଭରସା ରହିଛି । ସେ ପାର୍ଟି ହେଉ କି ରାଜନେତା ହିସାବରେ ହେଉ । କୌଣସି ଖେଳାଳି ପ୍ରତିଟି ମ୍ୟାଚରେ ଶତକ ହାସଲ କରେ ନାହିଁ । କିନ୍ତୁ ଏହା ସତ୍ୟ ଆମକୁ ଜନତାଙ୍କ ନିର୍ଣ୍ଣାୟକ ସମର୍ଥନ ମିଳିବ ଏବଂ ଦେଶକୁ ଆମେ ଆଗକୁ ନେବୁ ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ପ୍ରଭାରୀ ନିଯୁକ୍ତ ଚର୍ଚ୍ଚାକୁ ନେଇ ପ୍ରଶ୍ନ ଉପରେ ଗଡକରୀ କହିଛନ୍ତି, ସେମିତି କିଛି ନାହିଁ । ପାର୍ଟି ଯାହା ବି ମୋତେ ଦାୟିତ୍ୱ ଦେବ, ମୁଁ ତାହା ପାଳନ କରିବି । ଲୋକସଭା ନିର୍ବାଚନରେ ମୁଁ ଦେଶବ୍ୟାପୀ ରାଲି କରି ୫୫ ଲୋକସଭା କ୍ଷେତ୍ର ଗସ୍ତ କରିଥିଲି । ମହାରାଷ୍ଟ୍ର ନିର୍ବାଚନରେ ଦଳ ବେଶ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଗଡକରୀ ।