ଖବର ଓଡିଶା : 03/03/2023:
ଆଜି ରାଜ୍ୟର ସବୁ ଥାନାରେ ଏତଲା ଦେଉଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପିର ଆନ୍ଦୋଳନ ଡାକରା। ଲୋୟର ପିଏମଜିରେ ବିଜେପିର ଆନ୍ଦୋଳନବେଳେ ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦଳ ଦେଇଥିବା ଏତଲା ପୁଲିସ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ରାଜ୍ୟର ସବୁ ଥାନାରେ ଏତଲା ଦେଇଛନ୍ତି ବିଜେପି କର୍ମୀ । ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ପୋଲିସ ଡିଜି, ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଖାରବେଳ, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଏଫଆଇଆର ଦିଆଯାଇଛି । ସେହିପରି ଆସନ୍ତାକାଲି ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଉ ଯଦି ଏଫଆଇଆର ଥାନାରେ ଗ୍ରହଣ କରାନଯାଏ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ପୋଲିସ ନିଜର କାମ ସଠିକ ନକରି ସରକାରଙ୍କ କର୍ମୀ ହିସାବରେ କରୁଛି ବୋଲି କହିଛି ବିଜେପି | ବିଜେପି ଯୁବମୋର୍ଚା କର୍ମୀ ଆନ୍ଦୋଳନ ରେ ବସିଥିବା ବେଳେ ଯୋଜନାବଦ୍ଧ ଭାବେ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିଛି ବୋଲି ବିଜେପି ଅଭିଯୋଗ କରି ଏହି ଆନ୍ଦୋଳନ ଡାକରା ଦେଇଛି |